ଏଇ ଭାରତରେ

ଗୁପ୍ତଯୁଗର ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ ଲୋକେ ଗାଁ ସାରା ଖୋଳି ପକାଇଲେ। ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ନିଜେ ଲଜ୍ଜିତ ହୋଇଥାଏ। ଏପରି ଏକ ଘଟଣା ରାଜସ୍ଥାନ ଜୟପୁର ନିକଟରେ ଥିବା ମାଲପୁରାରେ ଘଟିଛି। ସ୍ଥାନୀୟ ଜାନକୀପୁରାସ୍ଥିତ ଦୋବଡ଼ିଆ ନାଳ ଅଞ୍ଚଳରେ ଗୁପ୍ତଯୁଗର ସ୍ବର୍ଣ୍ଣମୁଦ୍ରା ପୋତାହୋଇ ରହିଥିବା ପ୍ରଚାର ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ଲୋକେ ନିଜର କାମଧନ୍ଦା ଛାଡି ଖାଇବା ପିଇବା ଭୁଲି କମ୍‌ ସମୟରେ ଧନୀ ହେବା ପାଇଁ ଆରମ୍ଭ କରିଥିଲେ ମାଟିଖୋଳା। କେତେଜଣଙ୍କୁ ସ୍ବର୍ଣ୍ଣମୁଦ୍ରା ମିଳିଥିଲା। ଖବର ପାଇ ପୋଲିସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ୨ଟି ମୁଦ୍ରାର ଯାଞ୍ଚ୍‌ କରି ଏହା ଗୁପ୍ତଯୁଗର ବୋଲି ପ୍ରକାଶ କରିଥିଲେ। କେତେଜଣ ପୁରୁଖା ଲୋକଙ୍କ କହିବା ଅନୁସାରେ ଏଠାରେ ପୂର୍ବରୁ ବଞ୍ଜାରା ସମ୍ପ୍ରଦାୟ ବାସ କରୁଥିଲେ। ସେମାନେ ଲୁଟପାଟ୍‌ କରିଥିବା ଅଳଙ୍କାର ତଥା ସ୍ବର୍ଣ୍ଣମୁଦ୍ରା ଧରାପଡ଼ିବା ଭୟରେ ମାଟିତଳେ ପୋତିଦେଉଥିଲେ। କାଳକ୍ରମେ ସେମାନେ ଏଠାରୁ ପଳାଇଥିଲେ। ପରେ ଏଠାକାର ମାଟି ଖୋଳିବା ସମୟରେ ଅଳଙ୍କାର ଓ ସ୍ବର୍ଣ୍ଣମୁଦ୍ରା ମିଳୁଥିବା ସେମାନେ ପ୍ରକାଶ କରିଛନ୍ତି।