ଏଇ ଭାରତରେ

ଶିକ୍ଷା କ୍ଷେତ୍ରରେ ମହତ୍‌ ସେବା ଯୋଗାଉଥିବା ଯେଉଁ କେତେଜଣ ବ୍ୟକ୍ତି ଅଛନ୍ତି ସେମାନଙ୍କ ମଧ୍ୟରେ ମୁମ୍ବାଇର ପୋର୍ଟିଆ ପୁଟାତୁଣ୍ଡା ଅନ୍ୟତମ। ସେ ଭାରତର ସବୁଠୁ ଉଚ୍ଚରେ ଥିବା ହିମାଚଳପ୍ରଦେଶ କୋମିକ ଗାଁରେ ଅସହାୟ ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ପୋର୍ଟିଆ ତାଙ୍କ ସାମ୍ବାଦିକ କ୍ୟାରିୟରକୁ ପଛ କରିଦେଇ ଏହି କାର୍ଯ୍ୟ କରୁଛନ୍ତି। ପିଲାମାନଙ୍କୁ ମାଗଣାରେ ରଖି ସେମାନଙ୍କୁ ପଢାଇବା ସହ ଅନ୍ୟ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଏହି କାର୍ଯ୍ୟର ସୁପରିଚାଳନା ପାଇଁ ସେ ‘ପ୍ଲାନେଟ ସ୍ପିତି ଫାଉଣ୍ଡେଶନ’ ଗଠନ କରିଛନ୍ତି। ପିତାଙ୍କ ଦେହାନ୍ତ ପରେ ପୋର୍ଟିଆ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ। ପରେ ଏଥିରୁ ମୁକୁଳିବା ଲାଗି ସ୍ପିତି ଭ୍ୟାଲିର କାଜା ଅଞ୍ଚଳକୁ ବୁଲିବାକୁ ଯାଇ ଶିକ୍ଷାର ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ। ପରେ ୨୦୨୦ରେ ଚାକିରି ଛାଡ଼ି କାଜାକୁ ଯାଇ ସେଠାରେ ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିଲେ। ସମୟକ୍ରମେ ସେ ସେହି ଅଞ୍ଚଳରେ ଥିବା ସବୁଠୁ ଉଚ୍ଚ ଗାଁ କୋମିକରେ ପହଞ୍ଚି ସେଠାକାର ପିଲାଙ୍କ ଦୁର୍ଦ୍ଦଶା ଦେଖି ସେମାନଙ୍କ ରହିବା, ଖାଇବା ଓ ପଢ଼ିବା ବ୍ୟବସ୍ଥା କରିଥିଲେ, ଯାହା ଏଯାବତ ଚାଲିଛି। ପୋର୍ଟିଆ ଏବେ ସେହି ପିଲାମାନଙ୍କ ପାଇଁ ‘ମା’ ପାଲଟିଯାଇଛନ୍ତି।