ଏଇ ଭାରତରେ

କଠିନ ବର୍ଜ୍ୟକୁ ରିସାଇକେଲିଂ ବା ପୁନଃ ବ୍ୟବହାରଯୋଗ୍ୟ କରିବା ସହ ତା’ ବଦଳରେ ବର୍ଜ୍ୟ ଦେଉଥିବା ପରିବାରକୁ ଉପହାର ଦେଉଛନ୍ତି ଅଭିଷେକ ଅଗ୍ରଓ୍ବାଲ। ଅଭିଷେକ ରୁହନ୍ତି ହାଇଦ୍ରାବାଦରେ। ସେ ୩,୫୦୦ ପରିବାରରୁ ବର୍ଜ୍ୟ ମାଗଣାରେ ନେବା ପରେ ସେମାନଙ୍କୁ ଆକର୍ଷଣୀୟ ଉପହାର ଦେଉଛନ୍ତି। ସେ ଗୁଡ଼ିବାଗ ନାମକ ବର୍ଜ୍ୟ ପରିଚାଳନା କମ୍ପାନୀ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ରିଓ୍ବାର୍ଡ ପଏଣ୍ଟ ଆକାରରେ ଏହି ଉପହାର ଦିଆଯାଉଛି, ଯାହାକୁ ଦେଖାଇ ସେମାନେ ଗୁଡ଼ିବାଗ ଷ୍ଟୋରରୁ ଗ୍ରୋସେରି ନେଇପାରୁଛନ୍ତି। କମ୍ପାନୀର କର୍ମଚାରୀମାନେ ଘରଘର ବୁଲି ବର୍ଜ୍ୟ ସଂଗ୍ରହ କରୁଛନ୍ତି । ଅଭିଷେକ ପ୍ରଥମେ ଲଜିଷ୍ଟିକ କମ୍ପାନୀ ଆରମ୍ଭ କରିଥିଲେ । କିନ୍ତୁ ପରିବେଶ ସମସ୍ୟାକୁ ଲକ୍ଷ୍ୟକରି ତାହା ବନ୍ଦକରି ଏବେ ବର୍ଜ୍ୟ ପରିଚାଳନାରେ ମନ ଦେଇଥିଲେ। ଗୁଡ଼ିବାଗ କମ୍ପାନୀ ଏବେ ୪୦ ପ୍ରକାର କଠିନ ବର୍ଜ୍ୟ ସଂଗ୍ରହ କରୁଛି। ଏହା ମଧ୍ୟରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ଅଧିକ। ଏଯାବତ ୮୯,୧୬୪ କେ.ଜି. ବର୍ଜ୍ୟ ରିସାଇକେଲ କରାଯାଇସାରିଲାଣି ।