ଏଇ ଭାରତରେ

ମନ୍ଦିରର ଛଡ଼ାଫୁଲକୁ ବ୍ୟବହାରକରି ପରିବେଶ ଉପଯୋଗୀ ଏୟାର ଫ୍ରେଶ୍‌ନର ତିଆରି କରିଛନ୍ତି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ(ଆନ୍ଧ୍ରପ୍ରଦେଶ)ର ଛାତ୍ର ରାଜୀବ ଶର୍ମା। ଏହାର ନାମ ରଖିଛନ୍ତି ଆଲିଭ ସ୍ମାର୍ଟ ଏୟାର ଫ୍ରେଶ୍‌ନର। ରାଜୀବ ରହୁଛନ୍ତି ଜାମଶେଦପୁରରେ ଓ ସହରର ୩୦ରୁ ଊର୍ଦ୍ଧ୍ୱ ମନ୍ଦିରରୁ ଫୁଲ ସଂଗ୍ରହକରି ସେ ଏହା ପ୍ରସ୍ତୁତ କରୁଛନ୍ତି। ଗୋଟିଏ ମନ୍ଦିରରୁ ପ୍ରତିଦିନ ଅତିକମ୍‌ରେ ୩ କେଜି ଫୁଲ ସଂଗ୍ରହ ହେଉଛି। ଏବେ ସୁଦ୍ଧା ସେ ୧୫୦୦ କେଜି ଫୁଲ ସଂଗ୍ରହକରି କାମରେ ଲଗାଇସାରିଲେଣି। ଏହି ଫ୍ରେଶ୍‌ନରରେ ପ୍ଲାଷ୍ଟିକ କିମ୍ବା ଅନ୍ୟ କୌଣସି ବିଷାକ୍ତ ତତ୍ତ୍ୱ ରହୁନାହିଁ। ରାଜୀବ ଚୂଡ଼ାନ୍ତ ଉପତ୍ାଦ ନିର୍ମାଣ କରିବା ପୂର୍ବରୁ ୨୦ଟି ପ୍ରତିକୃତି ନିର୍ମାଣ କରିଥିଲେ। ଏଥିପାଇଁ ତାଙ୍କୁ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସରମାନେ ସହଯୋଗ କରିଥିଲେ। ଗତ ୫ ବର୍ଷ ମଧ୍ୟରେ ସେ ୮୫୦ଟି ଏୟାର ଫ୍ରେଶ୍‌ନର ବିକ୍ରିକରି ୨ ଲକ୍ଷ ଟଙ୍କା ପାଇଛନ୍ତି। ୩ ପ୍ରକାର ଫ୍ରେଶ୍‌ନର ଉପଲବ୍ଧ ହେଉଛି। ଘର, କାର୍‌ ଏବଂ ଅଫିସ୍‌ ପାଇଁ ସ୍ବତନ୍ତ୍ର ଭାବେ ସେ ଏହାକୁ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ସେ ଆହତ ଓ ପକ୍ଷାଘାତର ଶିକାର ହୋଇଥିବା କୁକୁରମାନଙ୍କ ପାଇଁ ୫୦ଟି ହୁଇଲ ଚେୟାର ମଧ୍ୟ ନିର୍ମାଣ କରିଛନ୍ତି। ଝାଡ଼ଖଣ୍ଡ ଆନିମଲ ଓ୍ବେଲ୍‌ଫେୟାରର ସଦସ୍ୟ ଭାବେ ସେ ଏହା ତିଆରି କରିପାରିଛନ୍ତି।