ଏଇ ଭାରତରେ

ଲୋକଙ୍କ ପାଖରେ ବିଜ୍ଞାନ ପହଞ୍ଚିଯାଉଛି ଗାଡ଼ିରେ। ଶୁଣିବାକୁ ଅଜବ ଲାଗୁଥିଲେ ବି ପଞ୍ଜାବର ଜଣେ ଶିକ୍ଷକଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପଟିଆଲାର ଅବସରପ୍ରାପ୍ତ ଶିକ୍ଷକ ଯଶବିନ୍ଦର ସିଂ ତାଙ୍କ କାରରେ ଏକ ଚଳନ୍ତି ବିଜ୍ଞାନାଗାର କରି ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଗଣିତର ବିଭିନ୍ନ ସୂତ୍ରଠାରୁ ଆରମ୍ଭ କରି ମହାକାଶ ଦୁନିଆର ସବୁକିଛି ପ୍ରଦର୍ଶନ କରୁଛନ୍ତି ଯଶବିନ୍ଦର। ସେ ଏହି ଅଭିଯାନର ନଁା ରଖିଛନ୍ତି ‘ଲାବ୍‌ ଅନ୍‌ ହ୍ବିଲ’ ଅର୍ଥାତ୍‌ ଗାଡ଼ିରେ ପରୀକ୍ଷାଗାର। ୧୧ ବର୍ଷ ହେଲା ଯଶବିନ୍ଦର ଏହି ଲାବ୍‌କୁ ନେଇ ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ କରୁଛନ୍ତି। ଏବେ ସୁଦ୍ଧା ସେ ୧୧ ରାଜ୍ୟରେ ତାଙ୍କ ଚଳନ୍ତି ବିଜ୍ଞାନାଗାରକୁ ପ୍ରଦର୍ଶନ କରିସାରିଲେଣି। ମୋଟ ୧୩୫୯ଟି ପ୍ରଦର୍ଶନୀ ଆୟୋଜନ କରିସାରିଛନ୍ତି। ଏହା ମାଧ୍ୟମରେ ସେ ପାଖାପାଖି ୭ ଲକ୍ଷ ଲୋକଙ୍କୁ ବିଜ୍ଞାନ ସହ ଯୋଡ଼ି ସାରିଲେଣି। ସେ ଏହି ଭ୍ରାମ୍ୟମାଣ ବା ଚଳନ୍ତି ପରୀକ୍ଷାଗାରକୁ ନିଜ ଖର୍ଚ୍ଚରେ ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ଶିକ୍ଷାରତ୍ନ ପୁରସ୍କାର ଏବଂ ପ୍ରାଇଡ୍‌ ଅଫ୍‌ ପଞ୍ଜାବ ସମ୍ମାନ ମିଳିଛି।