ଏଇ ଭାରତରେ

ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାକୁ ହେଲେ କୃଷି କ୍ଷେତ୍ରରେ ପରିବେଶ ଉପଯୋଗୀ ପଦ୍ଧତିକୁ ଆପଣାଇବା ଜରୁରୀ ହୋଇପଡ଼ିଲାଣି। ଜୈବିକ ସାର ଓ ଖତର ବ୍ୟବହାର ବ୍ୟାପକ କରାଯିବା ଲାଗି ଚେଷ୍ଟା ଜାରି ରହିଛି। ଇତିମଧ୍ୟରେ ଜୈବିକ ଜିଆଖତ ପ୍ରସ୍ତୁତି ପାଇଁ ଆଇଆଇଟି ପ୍ରାଧ୍ୟାପକ ଓ ତାଙ୍କ ଟିମ୍‌ ଏକ ନୂତନ ଯନ୍ତ୍ର ଆବିଷ୍କାର କରିଛନ୍ତି; ଯେଉଁଥିରେ ପାରମ୍ପରିକ ପଦ୍ଧତି ତୁଳନାରେ ଅଧା ସମୟରେ ଜିଆଖତ ତିଆରି କରାଯାଇପାରୁଛି। ଗୁଆହାଟି ଆଇଆଇଟି ଗବେଷକ ଡ. ଅଜୟ ଏସ୍‌ କାଲାମାଧା ଏହି ମେଶିନ ନିର୍ମାଣ କରିଛନ୍ତି। ଡ. ଅଜୟ ସିଭିଲ ଇଞ୍ଜିନିୟରିଂ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ। ତାଙ୍କ ଦ୍ୱାରା ନିର୍ମିତ ମେଶିନରେ ଉଚ୍ଚମାନର ଜିଆଖତ ତିଆରି ହେଉଛି; ଯାହାର ନାମ ‘ମାଟିଧନ’। ଖତ ମାତ୍ର ୨୭ ଦିନ ମଧ୍ୟରେ ହୋଇପାରୁଛି। ଏଥିରେ ଅନ୍ୟ ଖତ ତୁଳନାରେ ଅଧିକ ଯବକ୍ଷାରଜାନ ରହୁଛି। ଗୋଟିଏ ମାସ ଭିତରେ ୨୫୦ରୁ ୩୫୦ କେ.ଜି. ବର୍ଜ୍ୟରୁ ୧୦୦-୧୫୦ କେ.ଜି. ଜିଆଖତ ମିଳିପାରୁଛି।