ଏଇ ଭାରତରେ

ଏପରି ଅନେକ ରହସ୍ୟମୟ ବିଷୟ ରହିଛି ଯାହା ଅନେକଙ୍କୁ ଅଜଣା। ପ୍ରକୃତି କୋଳରେ ବଢ଼ୁଥିବା ବିଭିନ୍ନ ବୃକ୍ଷକୁ ଲୋକେ ପୂଜା କରିଥାନ୍ତି। ଶାଳଗଛ ତନ୍ମଧ୍ୟରୁ ଅନ୍ୟତମ। ଛତିଶଗଡ଼ର ବାଲ୍‌କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ପୁରାତନ ଶାଳଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗ୍ରାମବାସୀ ଏହି ଗଛ ନିକଟରେ ପୂଜା କରନ୍ତି। ଗଛର ଉଚ୍ଚତା ୨୮ ମିଟର ଓ ଗୋଲେଇ ୨୮ଫୁଟ ୨ ଇଞ୍ଚ। ଏହାକୁ ବନଖଣ୍ଡ କର୍ମଚାରୀମାନେ ୨୦୦୬ରେ ଚିହ୍ନଟ କରିଥିଲେ। ଏହାର ବୟସ ଜାଣିବା ପାଇଁ ଗଛର କେତେକ ସଂଗୃହୀତ ନମୁନା ଡେରାଡୁନ୍‌ ସ୍ଥିତ ବନ ଗବେଷଣା ବିଭାଗକୁ ପଠାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଗଛଟିର ବୟସ ୧୪ଶହ ବର୍ଷରୁ ଅଧିକ ହେବ। ତେବେ ଶାଳ ଗଛର ଆୟୁଷ ୨ ହଜାର ବର୍ଷ ହୋଇଥାଏ ବୋଲି ଡେରାଡୁନ୍‌ସ୍ଥିତ ବନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଗଛକୁ ଦେଖିବାକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି।