ଏଇ ଭାରତରେ

ରୋଗଗ୍ରସ୍ତ,ବିକଳାଙ୍ଗ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା କୁକୁରଙ୍କ ସାହାରା ପାଲଟିଛନ୍ତି ଚେନ୍ନାଇର ଶାରା ଆୟର। ସେ ରାସ୍ତାକଡ଼ରେ ପଡ଼ିରହୁଥିବା ଏଭଳି କୁକୁରଗୁଡ଼ିକୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ଆଶ୍ରୟ ଦେଉଛନ୍ତି। ଏହି କାର୍ଯ୍ୟ ପାଇଁ ସେ ତାଙ୍କ ସ୍ବାମୀଙ୍କ ସହଯୋଗରେ ଗଠନ କରିଛନ୍ତି ମାଡ୍ରାସ ଆନିମଲ ରେସ୍‌କ୍ୟୁ ସୋସାଇଟି(ଏମ୍‌ଏଆର୍‌ଏସ୍‌)। ଏହା ୨୦୧୯ରୁ କାମ କରୁଛି ଓ ତାମିଲନାଡୁ ଆନିମଲ ଓ୍ବେଲ୍‌ଫେୟାର ବୋର୍ଡ ସହ ଅନୁବନ୍ଧିତ ହୋଇଛି। ମହାବଳୀପୁରମ ନିକଟରେ ଥିବା କ୍ରିଷ୍ଣନ କରନାଇରେ କୁକୁରମାନଙ୍କ ପାଇଁ ‘ଡାମନ’ ନାମକ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ସେଠାରେ ଏବେ ୩୮୦ରୁ ଊର୍ଦ୍ଧ୍ୱ କୁକୁର ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୨ ବିକଳାଙ୍ଗ କୁକୁର ଛୁଆ, ୫୦ରୁ ଅଧିକ ଆଂଶିକ ଦୃଷ୍ଟିହୀନ ଓ ସ୍ନାୟୁଗତ ସମସ୍ୟାରେ ପୀଡ଼ିତ। ଏହାବ୍ୟତୀତ ୧୦୦ରୁ ଅଧିକ ବୟସ୍କ ବିକଳାଙ୍ଗ କୁକୁର ମଧ୍ୟ ରହିଛନ୍ତି। ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡ଼ିରହିଥିବା କୁକୁରଙ୍କୁ ଉଦ୍ଧାର କରିବା ଲାଗି ଶାରା ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିଛନ୍ତି ଓ ସେଥିରେ ୧୮୦ ଲୋକଙ୍କୁ ଯୋଡ଼ିଛନ୍ତି, ଯେଉଁମାନେ ସହରର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ସହ ବନ୍ଧ୍ୟାକରଣ କାର୍ଯ୍ୟ କରୁଛନ୍ତି। ପ୍ରତି ମାସରେ କୁକୁରଙ୍କ ଖାଦ୍ୟ ଲାଗି ୩୦୦ କେଜି ଚିକେନ୍‌, ୧୭୦୦ କେଜି ରାଇସ୍‌, ୫୦୦ ଲିଟର କ୍ଷୀର, ୮୦୦ ଅଣ୍ଡା ଏବଂ କିଛି ପନିପରିବା ଆବଶ୍ୟକ ହେଉଛି।