ଏଇ ଭାରତରେ

ଥର୍ମୋକୁଲ ମାଟିରେ ବହୁବର୍ଷ ପଡ଼ିରହି ପରିବେଶ ପ୍ରଦୂଷଣ କରିଥାଏ। ଏଭଳି ସମସ୍ୟାର ସମାଧାନ ଲାଗି ଏବେ କାନପୁରର ଚୈତନ୍ୟ ଦୁବେ ମସ୍‌ରୁମ ମାଇସେଲି(ଛତୁର ମୂଳରେ ଥିବା ଏକ ତନ୍ତୁ ଜାତୀୟ ଅଂଶ) ଓ କୃଷି ବର୍ଜ୍ୟରୁ ଏକପ୍ରକାର ଥର୍ମୋକୁଲ ପ୍ରସ୍ତୁତ କରିଛନ୍ତି। କାନପୁର ଆଇଆଇଟି ସହଯୋଗରେ ସେ ଏହା କରୁଛନ୍ତି। ଏଥିପାଇଁ ଚୈତନ୍ୟ ‘କିଙ୍କୋ ବାୟୋଟେକ୍‌’ ଷ୍ଟାର୍ଟଅପ୍‌ ଗଠନ କରିଛନ୍ତି। ଥର୍ମୋକୁଲ ତିଆରିରେ ସେ ପ୍ରାକୃତିକ ତନ୍ତୁ ମିଶାଇବା ଦ୍ୱାରା ପଲିଷ୍ଟାଇନ ମାଧ୍ୟମରେ ପ୍ରସ୍ତୁତ ଥର୍ମୋକୁଲଠାରୁ ଏହା ମଜଭୁତ ହେଉଛି । ଚୈତନ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଥର୍ମୋକୁଲ ୬୦-୯୦ ଦିନ ମଧ୍ୟରେ ମାଟିରେ ମିଶିଯାଇପାରୁଛି । ବଡ଼ କଥା ହେଉଛି, ଏହା ମଧ୍ୟ ପ୍ରାକୃତିକ ସାର ଭାବେ କାମ ଦେଉଛି। ଚୈତନ୍ୟ ଏକ ସ୍ମଲ ବିଜ୍‌ନେସ କୋର୍ସ କରିବା ସମୟରେ ଛତୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଓ ସେହି ସମୟରେ ସେ ଛତୁର ଶକ୍ତିକୁ ଜାଣିପାରିଥିଲେ। ତା’ ପରେ ଆଇଆଇଟି କାନପୁର ସହଯୋଗରେ ଏଭଳି ଥର୍ମୋକୁଲ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଏବେ ପ୍ୟାକେଜିଂରେ ଏହି ଥର୍ମୋକୁଲର ବ୍ୟବହାର ଆରମ୍ଭ ହୋଇଛି।