ଏଇ ଭାରତରେ

ସ୍ବଚ୍ଛତା ପାଇଁ ବ୍ୟକ୍ତିଗତ ସ୍ତରରେ ଅନେକେ ଚେଷ୍ଟା କରୁଛନ୍ତି। କିନ୍ତୁ ରାଜସ୍ଥାନର ବିଷ୍ଣୁ ଭାରତେଶ୍‌ଙ୍କର ଏ ଦିଗରେ ଏକ ଭିନ୍ନ ପ୍ରୟାସ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି। ସେ ବାଇକ୍‌ରେ ଗାଁ ଗାଁ ବୁଲି ସର୍ବସାଧାରଣ ସ୍ଥାନରୁ ବର୍ଜ୍ୟ ସଫା କରୁଛନ୍ତି। ସଫେଇ କାର୍ଯ୍ୟ ଆରମ୍ଭବେଳେ ଲୋକେ ଯାହାଙ୍କୁ ପାଗଳ କହୁଥିଲେ ସେ ଏବେ ଜଣେ ସ୍ବଚ୍ଛତା ହିରୋ ପାଲଟି ଯାଇଛନ୍ତି। ଭରତେଶ୍‌ ସାଉଦି ଆରବରେ କିଛିଦିନ ରହି କାମ କରୁଥିଲେ। ସେଠାକାର ସ୍ବଚ୍ଛ ପରିବେଶ ତାଙ୍କୁ ପ୍ରଭାବିତ କରିଥିଲା। ପରେ ସେ ଭାରତ ଫେରି ସଫେଇ ଉପରେ ଗୁରୁତ୍ୱ ଦେଇଛନ୍ତି। ବିଷ୍ଣୁ ପେସାରେ ଜଣେ ଦରଜି। ଭାରତକୁ ଆସିବା ପରେ ସେ ଦରଜି ଭାବେ କାମ କରିବା ସହ ସେଥିରୁ ସମୟ ବାହାରକରି ନିଜ ବାଇକ୍‌ରେ ବୁଲି ସଫେଇ କାର୍ଯ୍ୟ କରୁଛନ୍ତି। ସେ ଏହି ଅଭିଯାନର ନାମ ରଖିଛନ୍ତି ‘ସ୍ବଚ୍ଛ ଭାରତ କ୍ରାନ୍ତି’। ସଫା କରିବାକୁ ଗଲା ସମୟରେ ଏକ ଡଷ୍ଟବିନ ଓ ସଫା ପାଇଁ ଆବଶ୍ୟକ ଉପକରଣ ନେଉଛନ୍ତି। ଭରତେଶ୍‌ ଗତ ୯ ବର୍ଷ ହେଲା ଏହି କାର୍ଯ୍ୟ କରିଆସୁଛନ୍ତି। ଏବେ ତାଙ୍କୁ ‘ସ୍ବଚ୍ଛତା ଭାଇ’ ବୋଲି ଲୋକେ ସମ୍ବୋଧନ କରୁଛନ୍ତି। ଭରତେଶ୍‌ ଯେଉଁସବୁ ବର୍ଜ୍ୟ ସଂଗ୍ରହ କରୁଛନ୍ତି ତାହାକୁ ଏବେ ରିସାଇକେଲିଂ କେନ୍ଦ୍ରକୁ ପଠାଇବା ଲାଗି ଯୋଜନା କରିଛନ୍ତି।