ଏଇ ଭାରତରେ

କିନ୍ନରଙ୍କ ଜୀବନ ସଂଘର୍ଷମୟ। ସମାଜରେ ବଞ୍ଚିରହିବା ଲାଗି ସେମାନେ ବିଭିନ୍ନ କାର୍ଯ୍ୟ କରୁଥିଲେ ବି ସେମାନଙ୍କୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ଏମିତି ଜଣେ କିନ୍ନର ହେଉଛନ୍ତି ପଶ୍ଚିମବଙ୍ଗର ସୁମି ଦାସ, ଯିଏ ବଞ୍ଚିବାକୁ ସଂଗ୍ରାମ କରି ସଫଳ ହୋଇ ଏବେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସୁମି ୧୪ ବର୍ଷ ବୟସରେ ଘର ଛାଡ଼ି ଆସିଥିଲେ। ସେ ଜଲପାଇଗୁଡ଼ି ଷ୍ଟେଶନରେ ରହି ଭିକ୍ଷା କରି ଜୀବନ ବିତାଉଥିଲେ। କିନ୍ତୁ ଟ୍ରାନ୍ସଜେଣ୍ଡରଙ୍କ ପାଇଁ କାମ କରୁଥିବା ଏକ ସଂସ୍ଥା ତାଙ୍କୁ ଉଦ୍ଧାର କରିଥିଲା ଓ ତା’ସାହାଯ୍ୟରେ ସେ ଶିକ୍ଷାଲାଭ କରିଥିଲେ। ପ୍ରଥମେ ସେ ମୈତ୍ରୀ ସଂଯୋଗ ନାମକ ସୋସାଇଟି ଗଠନ କରି ଟ୍ରାନ୍ସଜେଣ୍ଡରଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ଗରିବ ପିଲାଙ୍କୁ ଶିକ୍ଷିତ କରିବା ଜରୁରୀ ବୋଲି ମନେକରି ସେ ମୈତ୍ରୀ ସଂଯୋଗ ଗୁରୁକୁଳ ଖୋଲି ସେଠାରେ ଏବେ ୨୯ ପିଲାଙ୍କୁ ପଢ଼ାଉଛନ୍ତି। ପିଲାମାନେ ସେଠାରେ ରହୁଛନ୍ତି। ସେମାନଙ୍କ ସବୁ ଖର୍ଚ୍ଚ ମଧ୍ୟ ସୁମି ବହନ କରୁଛନ୍ତି। ସେମାନେ ବଡ଼ ହେଲେ ଜଣେ ଟ୍ରାନ୍ସଜେଣ୍ଡର ତାଙ୍କୁ ପଢ଼ାଇ ମଣିଷ କରିଛନ୍ତି ବୋଲି ଗର୍ବରେ କହିପାରିବେ ବୋଲି କୁହନ୍ତି ସୁମି।