ଏଇ ଭାରତରେ

ପାଠ ପଢ଼ିବା ପାଇଁ ସମସ୍ତ ସୁବିଧାସୁଯୋଗ ଥାଇ ମଧ୍ୟ ଅନେକେ ପାଠରେ ମନ ଦେଇପାରନ୍ତି ନାହିଁ କିମ୍ବା ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ମାତ୍ର ଆଗ୍ରହ ଥିଲେ ପିଲାମାନେ ଯେକୌଣସି ସ୍ଥାନରେ ବି ପାଠ ପଢ଼ି ସଫଳତାର ଶିଖରରେ ପହଞ୍ଚିପାରିବେ। ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ। ଜୋମାଟୋର ଜଣେ ଡେଲିଭରି ଏଜେଣ୍ଟ ଏକ ଟ୍ରାଫିକ ପୋଷ୍ଟରେ ଜାମ୍‌ ଯୋଗୁ କିଛି ସମୟ ଅଟକି ଯାଇଥିବାରୁ ସେହିଠାରେ ହିଁ ପାଠ ପଢୁଛନ୍ତି। ଅବଶ୍ୟ ଆଜିକାଲି ଅନେକ ସହରରେ ଟ୍ରାଫିକ ପୋଷ୍ଟରେ ଖୁବ୍‌ ସମୟ ଅପେକ୍ଷା କରିବାକୁ ପଡୁଛି। ବୋଧହୁଏ ସେମିତି ଏକ ସ୍ଥାନରେ ସମୟର ସଦୁପଯୋଗ କରିବା ନିମନ୍ତେ ସେହି ଏଜେଣ୍ଟ ଜଣକ ନିଜ ଫୋନ୍‌ ବାହାର କରି ପାଠ ପଢୁଛନ୍ତି। ଅଳ୍ପ ସମୟ ହେଲେ ବି ପାଠପଢା ପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିବା ସ୍ପଷ୍ଟ ହୋଇଛି। ସୋସିଆଲ ମିଡିଆର ପୋଷ୍ଟ ଅନୁସାରେ ସେହି ବ୍ୟକ୍ତିଜଣକ ୟୁପିଏସ୍‌ସି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଜୋମାଟୋର ଡେଲିଭରି ଏଜେଣ୍ଟ ହୋଇଥିବାରୁ ସେ ଦୀର୍ଘ ସମୟ ଧରି କାମ କରୁଛନ୍ତି। ତେଣୁ ତାଙ୍କ ପାଖରେ ପାଠ ପଢ଼ିବା ପାଇଁ ଖୁବ୍‌ କମ୍‌ ସମୟ ମିଳୁଛି। ତେଣୁ ସେ କେବଳ ଟ୍ରାଫିକ ପୋଷ୍ଟ ନୁହେଁ, ବରଂ ସମୟ ପାଇବା ମାତ୍ରକେ ଯେକୌଣସି ସ୍ଥାନରେ କିଛି ସମୟ ପଢିବାର ସୁଯୋଗ ହରାଇବାକୁ ଚାହୁଁ ନାହାନ୍ତି। ସମ୍ପୃକ୍ତ ଏଜେଣ୍ଟଙ୍କର ଏଭଳି ଏକ ପ୍ରୟାସ ନିଶ୍ଚିତଭାବେ ପ୍ରଶଂସାଯୋଗ୍ୟ। ମାତ୍ର ଏଭଳିଭାବେ ହୁଏତ ଅନ୍ୟମନସ୍କ ହେବାର ଆଶଙ୍କା ସୃଷ୍ଟି ହୋଇପାରେ ବୋଲି କେତେକ ସୋସିଆଲ ମିଡିଆରେ ମତ ଦେଇଛନ୍ତି। ଏହା ନିଶ୍ଚିତ ଯେ,କଠିନ ପରିଶ୍ରମ କଲେ ସଫଳତା ସହଜରେ ମିଳିପାରିବ। ତେଣୁ ସେହି ଜୋମାଟୋ ଏଜେଣ୍ଟଙ୍କୁ ପାଠ ପଢିବା ନିମନ୍ତେ ପ୍ରେରଣା ଦେବା ଦରକାର।