ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ କୁହାଯାଉଥିଲେ ମଧ୍ୟ ଭାରତରେ ଏହାର ପ୍ରତିଶତ ଅନ୍ୟ ଦେଶ ତୁଳନାରେ କମ୍‌। ଏହାକୁ କିଭଳି ବୃଦ୍ଧି କରାଯାଇପାରିବ ଓ ଅଧିକ ସଂଖ୍ୟକ ଲୋକ ତାହାର ସୁବିଧା ନେଇପାରିବେ, ତାହା ସୁନିଶ୍ଚିତ କରିବା ଲାଗି ଡା. ସୁନିଲ ଶ୍ରୋଫଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ସୁନିଲଙ୍କ ଜନ୍ମ ବିହାରର ସାହିବଗଞ୍ଜରେ। ସେ ଏମ୍‌ବିବିଏସ୍‌୍‌ ଡିଗ୍ରୀ ହାସଲ କରିବା ପରେ ଇଂଲଣ୍ଡରେ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଭାବେ ୧୨ ବର୍ଷ କାର୍ଯ୍ୟ କରିଥିଲେ। ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସକାଶେ ସେ ଇଂଲଣ୍ଡରୁ ଚାକିରି ଛାଡ଼ି ଭାରତ ଚାଲି ଆସିଥିଲେ। ୧୯୯୭ରେ ମୋହନ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ଅଙ୍ଗଦାନ ଓ ପ୍ରତିରୋପଣ ତ୍ୱରାନ୍ବିତ କରୁଛନ୍ତି। ଶ୍ରୋଫ ଏବେ ମାଡ୍ରାସ ମେଡିକାଲ କଲେଜରେ ୟୁରୋଲୋଜି ଆଣ୍ଡ୍‌ ଟ୍ରାନ୍ସପ୍ଲାଣ୍ଟର ବରିଷ୍ଠ ଭାବେ କାର୍ଯ୍ୟ କରିବା ସହ ମୋହନ ଫାଉଣ୍ଡେଶନକୁ ପରିଚାଳନା କରୁଛନ୍ତି ଏବଂ ଏହା ମାଧ୍ୟମରେ ଏଯାବତ୍‌ ବାର୍ଷିକ ୧୬,୦୪୧ ଲୋକ ଅଙ୍ଗ ଗ୍ରହଣ କରୁଛନ୍ତି। ଏବେ ସୁଦ୍ଧା ଡା. ସୁନିଲ ଭବିଷ୍ୟତ ପାଇଁ ୨.୫ ମିଲିୟନ ଲୋକଙ୍କୁ ଅଙ୍ଗଦାନ ଲାଗି ପ୍ରେରିତ କରିସାରିଲେଣି। ଏହି ଅଭିଯାନରେ ସେ ୪,୦୦୦ କାଉନ୍‌ସିଲର ଏବଂ ୬୧,୦୦୦ରୁ ଅଧିକ ମେଡିକାଲ ପ୍ରଫେସନାଲଙ୍କୁ ଅଙ୍ଗଦାନ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଛନ୍ତି।