ଏଇ ଭାରତରେ

ଚାକିରି ଜୀବନରୁ ଅବସର ନେବା ପରେ ଲୋକେ ବିଶ୍ରାମ ଚାହାନ୍ତି। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ, ଯାହା ଘଟୁଛି ତାମିଲନାଡୁର ଏକ ଦମ୍ପତିଙ୍କ କ୍ଷେତ୍ରରେ। ଧରମପୁରୀ ଜିଲାର ଏନ୍‌. ମଧୁବଲାନ ଓ ଆର୍‌.ଆର୍‌. ସୁଶେଲା କୃଷି ବିଭାଗରୁ ଅବସର ନେବା ପରେ ଏକ ଫାର୍ମ କରିଛନ୍ତି। ଅନ୍‌ଲାଇନରେ ସେମାନେ ବଗିଚା ସମ୍ପର୍କରେ ଚାଷୀମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ଏବଂ ଅଧ ଏକର ଜମିରେ ମିନି ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ ସେମାନେ ଛାତ ଉପରେ ୧୫୦୦ ବର୍ଗଫୁଟ ଜାଗାରେ ସୁନ୍ଦର ବଗିଚା କରିଛନ୍ତି। ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଏହି ବଗିଚାରୁ ସେମାନେ ବିଭିନ୍ନ ପ୍ରକାର ଫଳ ଉପତ୍ାଦନ କରୁଛନ୍ତି। ଏହି ଦମ୍ପତି ମାଗଣାରେ ଅନ୍‌ଲାଇନ କ୍ଲାସ୍‌ କରୁଛନ୍ତି ଓ ସେଥିରେ ବଗିଚା, ସିଞ୍ଚନ ଜଳସେଚନ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି। ଏହା ସହ ଜୈବିକ ଉପାୟରେ ମାଟିର ଉର୍ବରତା ବୃଦ୍ଧି ସମ୍ପର୍କରେ ୫୦ଟି କ୍ଲାସ ମାଧ୍ୟମରେ ଶିକ୍ଷା ଦେଉଛନ୍ତି। ସେମାନେ ୩୦ରୁ ଅଧିକ ଭର୍ଚୁଆଲ କ୍ଲାସ୍‌ କରି ୩,୦୦୦ରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି। ସେମାନେ ଛାତ ଉପରେ ବଗିଚା କରି ଉତ୍ପାଦନ କରିବାର ଫଟୋ ମଧ୍ୟ ଶେୟାର କରୁଛନ୍ତି, ଯାହା ଅତ୍ୟନ୍ତ ଖୁସିର ବିଷୟ ବୋଲି କୁହନ୍ତି ମଧୁବଲାନ।