ଏଇ ଭାରତରେ

ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ବ୍ୟସ୍ତ ରଖିବା ସହ ବୁଲା କୁକୁରଙ୍କ ସୁରକ୍ଷାରେ ସମୟ ଦେବା ନିଶ୍ଚିତ ଭାବେ ପ୍ରେରଣାଦାୟକ କାର୍ଯ୍ୟ। ଏଭଳି କାର୍ଯ୍ୟ ଜାରି ରଖିଛନ୍ତି ମୁମ୍ବାଇର ବୋରିଭାଲି ପୋଲିସ ଷ୍ଟେଶନରେ କାର୍ଯ୍ୟରତ ପୋଲିସ ଅଧିକାରୀ ସୁଧୀର କୁଡାଲକର। କୋଭିଡ ମହାମାରୀ ସମୟରେ ସେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ସେ ସମୟରେ ପ୍ରାଣୀମାନଙ୍କ ପ୍ରତି ଅତ୍ୟଧିକ କ୍ରୂରତା ଲକ୍ଷ୍ୟ କରିଥିଲେ ଓ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ସେହି ସମୟରୁ ସେ କୁକୁରଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି। ଏଥିପାଇଁ ସୁଧୀର ପିୟୋର ଆନିମଲ ଲଭର୍ସ( ପିଏଏଲ୍‌) ନାମକ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରି ସେଥିରେ ୭,୦୦୦ ସଦସ୍ୟଙ୍କୁ ସାମିଲ କରିପାରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଆଇନଜୀବୀ, ଆକ୍ଟିଭିଷ୍ଟ, ଫିଡର ଏବଂ ଆନିମଲ ଲଭର୍ସ। ଏମାନଙ୍କ ସହାୟତାରେ ସୁଧୀର ଏଯାବତ ୩୫୦୦ ପ୍ରାଣୀ ନିର୍ଯାତନାକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ବିରୋଧରେ କେସ ପରିଚାଳନା କରୁଛନ୍ତି ୧୯ ଜଣିଆ ଓକିଲଟିମ୍‌। ଡ୍ରେନରେ ରହିଥିବା ଏକ ୧୨୦ ବର୍ଷର କଇଁଛ ଉଧାର କରି ସୁଧୀର ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି।