ଏଇ ଭାରତରେ

ଆମ୍ବର ବିଭିନ୍ନ କିସମ ପ୍ରାୟ ସମସ୍ତେ ଦେଖିଥିବେ। ପସନ୍ଦ ଅନୁସାରେ ଲୋକେ ସେହି ପ୍ରକାରର ଆମ୍ବଗଛ ଲଗାଇଥାନ୍ତି। କିନ୍ତୁ ଗୋଟିଏ ଗଛରେ ୨୪ ପ୍ରକାରର ଆମ୍ବ ଫଳିବା କଥା କେବେ ଶୁଣିଛନ୍ତି! କଥାଟା ହୁଏତ ବିଶ୍ୱାସ ହୋଇ ନ ପାରେ। ମାତ୍ର ଏମିତି ଏକ କାମ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ମେରଟ୍‌ର ନଦିମ୍‌ ଖାନ୍‌। ସେ ତାଙ୍କ ବାଡିରେ ଏକ ଗଛ ଲଗାଇଛନ୍ତି, ଯେଉଁଥିରେ ୨୪ ପ୍ରକାରର ଆମ୍ବ ଫଳିଛି। ପ୍ରକୃତରେ ନଦିମ ଆମ୍ବ ଖାଇବାକୁ ବହୁତ ଭଲ ପାଆନ୍ତି। ଆଉ ଆମ୍ବ ପ୍ରତି ଏହି ଆକର୍ଷଣ ତାଙ୍କୁ ଆମ୍ବ ଗଛ ଲଗାଇବା ପାଇଁ ପ୍ରେରଣା ଦେଇଥିଲା। ସେଥିପାଇଁ ସେ ନିଜ ବାଡିରେ ଆମ୍ବ ଗଛ ଲଗାଇବେ ବୋଲି ଚିନ୍ତା କରିଥିଲେ। ତା’ପରେ ସେ ଆମ୍ବ ଗଛ ବି ଲଗାଇଥିଲେ। ପରେ ଅଧିକ କିସମର ଆମ୍ବ ଲଗାଇବାକୁ ଇଚ୍ଛା କରିଥିଲେ। ଆଉ ହଠାତ୍‌ ତାଙ୍କ ମନକୁ ଆସିଥିଲା କି ଗୋଟିଏ ଗଛରେ ସବୁ ପ୍ରକାରର ଆମ୍ବ ଚାଷ କରିବେ। ଏହି ଲକ୍ଷ୍ୟରେ ଗୋଟିଏ ଗଛରେ ୩୦ରୁ ଅଧିକ କିସମର ଆମ୍ବର କଲମି ପ୍ରକ୍ରିୟା ପ୍ରୟୋଗ କରିଥିଲେ ଓ ସଫଳ ହୋଇଥିଲେ। ଏହାପରେ ସେଥିରେ ୨୪ ପ୍ରକାରର ଆମ୍ବ ଫଳିଥିଲା।