ଏଇ ଭାରତରେ

ଭାତଥାଳିକୁ ଗୋଡ଼ରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା। ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଥିବା ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରଷିବା ପରେ ଥାଳିଟିକୁ ଗୋଡରେ ଠେଲି ଦେଇଥାଆନ୍ତି। ଏହା ପଛରେ ଏକ ଇତିହାସ ରହିଛି। ୧୫୭୬ରେ ହଳଦୀଘାଟ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କ ସହଯୋଗୀମାନେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଯାଇ ନିଜ ସେବକମାନଙ୍କ ସହ ହିମାଳୟ ପାଦଦେଶକୁ ପଠାଇ ଦେଇଥିଲେ। ବହୁ ବାଟ ବୁଲିବୁଲି ସେମାନେ ନେପାଳ ସୀମାରେ ଥିବା ଉତ୍ତରପ୍ରଦେଶ ତରାଇ ଅଞ୍ଚଳରେ ପହଞ୍ଚିଥିଲେ। ସେହିଠାରେ ହିଁ ସେମାନେ ରହିବାକୁ ଲାଗିଲେ। ରାଜସ୍ଥାନରୁ ଆସିଥିବାରୁ ଏମାନଙ୍କୁ ଥାରୁ ବୋଲି କୁହାଗଲା। ସୁରକ୍ଷା ଦୃଷ୍ଟିରୁ ଏହି ମହିଳାମାନେ ସେମାନଙ୍କ ସେବକ ଓ ସୈନିକଙ୍କୁ ବିବାହ କରିନେଲେ। ହେଲେ ଏହି ମହିଳାମାନେ ନିଜ କୁଳୀନ ପ୍ରବୃତ୍ତି ବା ରାଜକୀୟ ଢଙ୍ଗକୁ ଛାଡି ପାରିଲେନି। ନିଜ ଅହଂକାରକୁ ବଜାୟ ରଖିବାକୁ ଏମାନେ ଯେତେବେଳେ ବି ପୁରୁଷମାନଙ୍କୁ ଖାଇବା ପରଷନ୍ତି ତା’ପରେ ଥାଳିଟିକୁ ଗୋଡ଼ରେ ଠେଲିଦେଇ ନିଜର ଅହମିକା ସାବ୍ୟସ୍ତ କରନ୍ତି।