ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର। ହିନ୍ଦୁ କରୁଛନ୍ତି ମସ୍ଜିଦର ଦେଖାରଖା। ପଞ୍ଜାବ ରାଜ୍ୟର ଲୁଧିଆନା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ହେଣ୍ଡୋ ବେଟ୍ ଗାଁ। ପରାଧୀନ ଭାରତରେ ଏଠାରେ ପାଖାପାଖି ୫୦ ମୁସଲମାନ ପରିବାର ରହୁଥିବା ବେଳେ ଦେଶ ବିଭାଜନ ପରେ ଏଠାରେ ଜଣେ ବି ମୁସଲମାନ ପରିବାର ନାହାନ୍ତି। ହେଲେ ଆଜି ବି ମସ୍ଜିଦରେ ଜଳୁଛି ସଦ୍ଭାବନାର ଦୀପ। ପାକିସ୍ତାନ ମିରଖପୁରରୁ ଆସିଥିବା ୧୫ଟି ହିନ୍ଦୁ ପରିବାର ମସ୍ଜିଦର ଦେଖାରଖା କରୁଛନ୍ତି। ମୁସଲମାନ ନ ଥାଇ ମଧ୍ୟ କେବେ ମସ୍ଜିଦର ଦ୍ୱାର ବନ୍ଦ ହୋଇନାହିଁ କି କେହି କେବେ ଏହାକୁ ଭାଙ୍ଗିଦେବାକୁ ଚାହିଁ ନାହାନ୍ତି। ଏହି କୃଷକ ପରିବାରର ସଦସ୍ୟ ପ୍ରେମ ସିଂ ଗତ ୪ ବର୍ଷ ହେବ ସକାଳେ ଓ ସନ୍ଧ୍ୟାରେ ମସ୍ଜିଦରେ ଦୀପ ଜାଳୁଥିବା ବେଳେ ଆତ୍ମସନ୍ତୋଷ ଲାଭକରୁଥିବା କୁହନ୍ତି। ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସି ମାନସିକ କରିବା ସହ ମାନସିକ ପୂରଣ ହେଲେ ଚାଦର ଚଢ଼ାଇ ଥା’ନ୍ତି।