ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି କ୍ରିଷ୍ଣ କୁମାର। ଏଥିସହ ସେ ନେପାଳ ଓ ଭୁଟାନର କିଛି ତୀର୍ଥସ୍ଥଳ ମଧ୍ୟ ଭ୍ରମଣ କରିବେ। ଏଥିପାଇଁ ତାଙ୍କୁ ଦେଢ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଆଧୁନିକ ଯୁଗର ଏହି ଶ୍ରବଣକୁମାର ତାଙ୍କର ୭୦ ବର୍ଷୀୟା ମା’ ଚୁଡ଼ରତ୍ନାଙ୍କୁ ବିଭିନ୍ନ ତୀର୍ଥସ୍ଥାନ ବୁଲାଇବାକୁ ବାହାରିଥିବା ବେଳେ ମା’ ତାଙ୍କର ଏଭଳି ପୁଅ ପାଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି। ୨୦୧୮ ଜାନୁୟାରୀ ୧୬ରୁ ଏମାନେ ଯାତ୍ରା ଆରମ୍ଭ କରିଥିବା ବେଳେ ଇତିମଧ୍ୟରେ ତାମିଲନାଡୁ, ପଣ୍ଡିଚେରୀ, କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକିମ, ନେପାଳ ଓ ଭୁଟାନ ଭ୍ରମଣ କରିସାରି ଏବେ ଆସାମରେ ପହଞ୍ଚିଛନ୍ତି। ଏହାପରେ ସେ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ଗସ୍ତ କରିବେ।