ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। ହେଲେ ଏହି ଗାଁରେ ପ୍ରାୟ ୯୫-୯୬ ପ୍ରତିଶତ ମତଦାନ ହୋଇଥାଏ ବୋଲି ସରପଞ୍ଚ ଅଶୋକ ଭାଇ ବାଘେରା ସୂଚନା ଦେଇଛନ୍ତି। ଗାଁର ସମସ୍ତ ବ୍ୟକ୍ତି ମତଦାନ କରିବାକୁ ପରାମର୍ଶ ଦିଆଯାଇଥାଏ। ଯେଉଁମାନେ ମତଦାନ କରି ନ ଥାଆନ୍ତି ସେମାନଙ୍କୁ ୫୧ ଟଙ୍କା ଜରିମାନା ଦେବାକୁ ପଡିଥାଏ। ଶହେ ପ୍ରତିଶତ ମତଦାନ ଲକ୍ଷ୍ୟରେ ଗାଁରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ଏହା ଏକ ଆଦର୍ଶ ଗାଁ ଭାବେ ଗୁଜରାଟରେ ବେଶ୍‌ ପରିଚିତ। ଏଠାକାର ଘର ଅବା ଦୋକାନରେ କେବେ ତାଲା ପଡି ନ ଥାଏ। କାରଣ ଏହି ଗାଁରେ କୌଣସି ଜିନିଷ ଚୋରି ହୋଇ ନ ଥାଏ।