ଏଇ ଭାରତରେ

ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। କାଉଡିଆଙ୍କ ବିଶ୍ରାମ ପାଇଁ ପଥ ପାର୍ଶ୍ୱରେ ଠାଏ ଠାଏ ବିଶ୍ରାମାଗାର କରାଯିବା ସହିତ ସେମାନଙ୍କ ବାହୁଙ୍ଗି ରଖିବା ପାଇଁ ବାଉଁଶ ଆଡି ବ୍ୟବସ୍ଥା କରାଯାଇଥାଏ। ଏଥର କାଉଡି ଯାତ୍ରାରେ ଯାଉଥିବା ଭକ୍ତଙ୍କ ଉପରେ ଆକାଶମାର୍ଗରୁ ଫୁଲ ବର୍ଷା ହେବ। ଉତ୍ତରପ୍ରଦେଶ ସରକାରଙ୍କର ଏହା ଏକ ଅଭିନବ ପଦକ୍ଷେପ। ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ପକାଇବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାତ୍ରା ସମୟରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କାଉଡିଆମାନେ ପ୍ଲାଷ୍ଟିକ ଓ ଥର୍ମୋକୁଲ ବ୍ୟାଗ୍‌ର ବ୍ୟବହାର ନ କରିବା ଏବଂ ଏମାନଙ୍କ ଯାତ୍ରା ପଥରେ କୌଣସି ମଦ ଦୋକାନ ଓ କଂସେଇଖାନା ଯେପରି ନ ରୁହେ ସେଥିପ୍ରତି ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭମେଳା ଭଳି କାଉଡି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ଜୁଲାଇ ୧୭ରୁ କାଉଡି ଯାତ୍ରା ଆରମ୍ଭ ହେଉଥିବାବେଳେ ୟୁପି ସରକାରଙ୍କ ଏଭଳି ଅଭିନବ ପଦକ୍ଷେପ ଶିବଭକ୍ତଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସଦୃଶ ହୋଇଛି।