ଏଇ ଭାରତରେ

ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ପ୍ରିୟପରିଜନ ଦୁଃଖରେ କାନ୍ଦିଥାନ୍ତି। ଏହି କାନ୍ଦିବା ସ୍ବତଃସ୍ଫୂର୍ତ୍ତ ଏବଂ ଭାବପ୍ରବଣତାସମ୍ଭୂତ। କିନ୍ତୁ ଭଡାରେ ଲୋକଙ୍କୁ ଆଣି କନ୍ଦାଇବା କଥାଟି ନୂଆ ନିଶ୍ଚୟ। ସେମାନେ ଭାବାବେଗରୁ ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଭାବେ କାନ୍ଦିଥାନ୍ତି। ଏହି କାନ୍ଦରେ ନା ଥାଏ ଆନ୍ତରିକତା ନା ଭାବପ୍ରବଣତା। କେବଳ ପଇସା ପାଇଁ କାନ୍ଦିବାକୁ ହୋଇଥାଏ। ରାଜସ୍ଥାନର ରାଜପୁତ ସମ୍ପ୍ରଦାୟରେ କାହାର ମୃତ୍ୟୁ ହେଲେ କାନ୍ଦିବା ଲାଗି ଭଡ଼ାରେ ଲୋକ ଆସିଥାନ୍ତି। ସେମାନେ ଅତି ବିକଳ ହୋଇ ହାତଗୋଡ଼ ଛାଟି ଛାତିକୁ ବାଡ଼େଇ କାନ୍ଦିଥାନ୍ତି। ଏହା ଅତି ମାର୍ମିକ ତଥା କରୁଣ ପରିବେଶ ସୃଷ୍ଟି କରିଥାଏ। ରାଜପୁତ ସମ୍ପ୍ରଦାୟ ନିଜର ଦୁଃଖକୁ ବାହାରେ ପ୍ରକାଶ କରିବା କିମ୍ବା କାନ୍ଦିବାକୁ ପସନ୍ଦ କରି ନ ଥାନ୍ତି। ତେଣୁ ସେମାନେ ପରିବାର ସଦସ୍ୟଙ୍କ ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଲୋକଙ୍କୁ ଆଣିଥାନ୍ତି। କାନ୍ଦିବାକୁ ଭଡ଼ାରେ ଆସୁଥିବା ଲୋକଙ୍କ ମଧ୍ୟରେ ପ୍ରାୟତଃ ମହିଳା ହିଁ ରହିଥାନ୍ତି। ଏଭଳି ମହିଳାଙ୍କୁ ରୁଦାଲୀ ବା ଭଡ଼ାରେ କାନ୍ଦିବା ମହିଳା କୁହାଯାଇଥାଏ। ଏହି ପରମ୍ପରା ରାଜପୁତ ସମ୍ପ୍ରଦାୟରେ ଅତି ପ୍ରାଚୀନ କାଳରୁ ଚଳିଆସୁଛି।