ଏଇ ଭାରତରେ

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ। ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ। କଳା, ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ତାଙ୍କ ପୁସ୍ତକଗୁଡ଼ିକ ରଚିତ ହୋଇଛି। ଉତ୍ତରପ୍ରଦେଶର ମୃଗେନ୍ଦ୍ର ରାଜ ମାତ୍ର ୬ବର୍ଷ ବୟସରୁ ଲେଖାଲେଖି ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ପୁସ୍ତକ ଥିଲା ଏକ କବିତା ବହି। ଏବେ ଲଣ୍ଡନର ଓ୍ବାର୍ଲଡ ରେକର୍ଡ ୟୁନିଭର୍ସିଟିରେ ଡକ୍ଟରେଟ କରିବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ‘ଆଜ କା ଅର୍ଜୁନ’ ନାମରେ ପରିଚିତ ରାଜ କୁହନ୍ତି, ଲେଖା ପାଇଁ ତାଙ୍କୁ ୪ଟି ବିଶ୍ୱ ରେକର୍ଡ ମିଳିବା ସହ ଆହୁରି ଅନେକ ସମ୍ମାନ ମିଳିଛି। ସେ କୁହନ୍ତି, ମହାକାବ୍ୟ ରାମାୟଣର ୫୧ଟି ଚରିତ୍ରକୁ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ବହି ୨୫ରୁ ୧୦୦ପୃଷ୍ଠା ବିଶିଷ୍ଟ ହୋଇଥାଏ। ସୁଲତାନପୁରର ଏକ ଘରୋଇ ସ୍କୁଲରେ ତାଙ୍କ ମା’ ଶିକ୍ଷକତା କରୁଥିବା ବେଳେ ପିତା ଜଣେ ସରକାରୀ କର୍ମଚାରୀ। ବାସ୍ତବରେ ଏହି ସ୍ବଳ୍ପ ବୟସର ସାରସ୍ବତ ସାଧକ ସମସ୍ତଙ୍କ ପାଇଁ ଆଦର୍ଶ।