ଏଇ ଭାରତରେ

ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେସ୍ତୋରଁା। ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଆମ ଦେଶର କାନପୁରର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେସ୍ତୋରଁା। କେବଳ ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେସ୍ତୋରଁା। ଏହାଦ୍ୱାରା ୨ଟି ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଗୋଟିଏ ହେଉଛି ମୃତ ପଶୁପକ୍ଷୀଙ୍କୁ ଏଣେତେଣେ ଫୋପାଡି ପରିବେଶ ଦୂଷିତ କରିବା ପ୍ରକ୍ରିୟାକୁ ରୋକିବା ଓ ଅନ୍ୟଟି ହେଉଛି ବିଲୁପ୍ତପ୍ରାୟ ଶାଗୁଣା ଓ ଚିଲଙ୍କ ବଂଶବୃଦ୍ଧି କରିବା। ଶାଗୁଣା ଏକାଠି ହେଲେ ବସା ବାନ୍ଧିିବେ। ପରେ ସେମାନଙ୍କ ବଂଶବୃଦ୍ଧି ହୋଇପାରିବ। ଏହା ହେଉଛି ଏକ ଓପନ୍‌ ରେସ୍ତୋରଁା। ଚାରିପଟରେ ଗଛ। ମଝିରେ ମଝିରେ କାଠର ବାଡା ଲଗାଯାଇ ଖୋଲା ଆକାଶ ତଳେ ଏହି ରେସ୍ତୋରଁା ତିଆରି କରାଯାଇଛି। ତେବେ ଚିଲ, ଶାଗୁଣାଙ୍କ ପରି ଅନ୍ୟ ଶିକାରି ପକ୍ଷୀଙ୍କ ଆଗମନକୁ ବାରଣ କରାଯାଇ ନାହିଁ। ମଝିରେ ମଝିରେ ଥିବା କାଠର ବାଡା ଉପରେ ଆରାମରେ ଖାଦ୍ୟ ଖାଇବା ସହ ପୋଖରୀରୁ ପାଣି ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ଥିବା ପ୍ରାଣୀ ଚିକିତ୍ସକଙ୍କ ମତରେ ପୂର୍ବରୁ ମୃତ ପଶୁପକ୍ଷୀଙ୍କୁ ଏଣେତେଣେ ପକାଯାଉଥିଲା। ବର୍ଷା ସମୟରେ ଏଥିରୁ ଦୁର୍ଗନ୍ଧ ବାହାରି ପରିବେଶ ଦୂଷିତ ହେଉଥିଲା। ଏବେ ଏହି ରେସ୍ତୋରଁା ଖୋଲିବା ଫଳରେ ପକ୍ଷୀ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ଅନ୍ୟପଟେ ବିଲୁପ୍ତପ୍ରାୟ ପକ୍ଷୀଙ୍କର ସଂରକ୍ଷଣ ବି ହୋଇପାରୁଛି।