ଏଇ ଭାରତରେ

ଦୁନିଆରେ ଏମିତି ଜଣେ ଜଣେ ବ୍ୟକ୍ତି ଥାଆନ୍ତି ଯିଏ ଦାନ କରି ମହାନତାର ପରିଚୟ ଦିଅନ୍ତି। ଏମିତି ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ସିବିଆର୍‌ ପ୍ରସାଦ। ସେ ୪୦ବର୍ଷ ପରେ ତାଙ୍କର ସମସ୍ତ ପେନ୍‌ସନ ଅର୍ଥ ୧କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ସୋମବାର ରାଜନାଥ ସିଂଙ୍କୁ ଭେଟି ସେ ଏହି ପରିମାଣର ଏକ ଚେକ୍‌ ପ୍ରଦାନ କରିଛନ୍ତି। ପ୍ରାୟ ୯ ବର୍ଷ କାଳ ଭାରତୀୟ ବାୟୁସେନାରେ କାମକରିବା ପରେ ରେଲଓ୍ବେରେ ଭଲ ସୁଯୋଗ ମିଳିବାରୁ ସେ ବାୟୁସେନାରୁ ଅବସର ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ରେଲଓ୍ବେରେ ଚାକିରି ମିଳି ନ ଥିଲା। ଏଥିରେ ସେ ଭାଙ୍ଗି ନ ପଡ଼ି ଏକ କୁକୁଡା ଫାର୍ମ ଆରମ୍ଭ କରିଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ପରିବାର ପ୍ରତିପୋଷଣ କରୁଥିଲେ ପ୍ରସାଦ। ଆଉ ତାଙ୍କୁ ଯେଉଁ ପେନ୍‌ସନ ମିଳୁଥିଲା ସେ ସମସ୍ତ ଅର୍ଥକୁ ସାଇତି ରଖି ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ପ୍ରସାଦ କହିଛନ୍ତି ଅବସର ପରେ ସେନା ତାଙ୍କୁ ଯାହା ଦେଇଛି ତାକୁ ସେ ଫେରାଇ ଦେବାକୁ ଚିନ୍ତାକରି ଏପରି କରିଛନ୍ତି। ଏଥିରେ ସେ ଓ ତାଙ୍କ ପରିବାର ବେଶ୍‌ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।