ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮ ବର୍ଷ ଝିଅର ମଧ୍ୟ ବ୍ରତୋପନୟନ କରିଛନ୍ତି। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ କେବଳ ପୁଅମାନଙ୍କର ବ୍ରତୋପନୟନ କରାଯାଉଥିବା ବେଳେ ଝିଅର ବ୍ରତୋପନୟନ କରିଥିବାରୁ ସେମାନେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନେ ଏଥିପାଇଁ ୨ ବର୍ଷ କାଳ ଶାସ୍ତ୍ର ଅଧ୍ୟୟନ କରି ଏହାର ଶାସ୍ତ୍ରରେ ତା’ର ଉଦାହରଣ ଥିବା ଦର୍ଶାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ଏଥିରେ ଝିଅପୁଅଙ୍କ ମଧ୍ୟରେ ଭେଦଭାବ ଠିକ୍‌ ନୁହେଁ। ଇନ୍ଦୋର ବାସିନ୍ଦା ଏହି ଦମ୍ପତି ହେଉଛନ୍ତି ଯୋଗେଶ କୁଲକର୍ଣ୍ଣି ଓ ମାଣିକ କୁଲକର୍ଣ୍ଣି। ଏମାନେ ୮ ବର୍ଷର ଝିଅ ଶମିକାଙ୍କୁ ତାଙ୍କ ଯାଆଁଳା ଭାଇ ଶନ୍ୟାଙ୍କ ସହ ବ୍ରତୋପନୟନ କରାଇଛନ୍ତି। ଯୋଗେଶ ୪ ବର୍ଷ ପୂର୍ବେ ପୁଣେରେ ଜଣେ ଝିଅଙ୍କ ବ୍ରତୋପନୟନ କଥା ଶୁଣିଥିଲେ। ଏହାପରେ ସେ ତାଙ୍କ ଝିଅର ମଧ୍ୟ ବ୍ରତୋପନୟନ କରିବାକୁ ସ୍ଥିର କରିଥିଲେ। ଏହାକୁ ନେଇ ସେ ଶାସ୍ତ୍ର ବିଶାରଦଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ବହୁ ପୁରୁଣା ପୁସ୍ତକ ଅଧ୍ୟୟନ କରିଥିଲେ। ସେ ଋଷିକନ୍ୟା ଗାର୍ଗି ଓ ଲୋପାମୁଦ୍ରାଙ୍କ ଉଦାହରଣ ପାଇଥିଲେ। ଏମାନଙ୍କର ବ୍ରତୋପନୟନ କରାଯାଇଥିଲା। ଏହାପରେ ସେ ତାଙ୍କ ଗୁରୁଙ୍କ ସହ ଏ ବିଷୟରେ ଆଲୋଚନା କରି ସମସ୍ତଙ୍କ ସହମତିରେ ଝିଅର ବ୍ରତୋପନୟନ କରିଥିବା ପ୍ରକାଶ କରିଛନ୍ତି।