ଏଇ ଭାରତରେ

ନବଜାତ ଶିଶୁକନ୍ୟାକୁ ନାଳରେ ଫୋପାଡ଼ିଲେ ମା’। ଉଦ୍ଧାର କଲା କୁକୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାରେ। ଏହି ରାଜ୍ୟର କୈଠାଲ୍‌ରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେବାର ମାତ୍ର କେଇ ଘଣ୍ଟା ପରେ ପଲିଥିନରେ ଗୁଡାଇ ନାଳରେ ଫିଙ୍ଗି ଦେଇଥିଲେ। ହେଲେ ସେଠାରେ ଥିବା ଏକ କୁକୁର ପଲିଥିନକୁ ଉପରକୁ ଟାଣି ଆଣିବା ସହ ଭୁକିବାକୁ ଆରମ୍ଭ କରିଥିଲା। କୁକୁର ପଲିଥିନ ପାଖରେ ଠିଆହୋଇ ଭୁକୁଥିବା ଦେଖି ସ୍ଥାନୀୟ ଲୋକେ ପଲିଥିନ ମଧ୍ୟରୁ ନବଜାତ ଶିଶୁକନ୍ୟାଟିକୁ ଉଦ୍ଧାର କରି ପୋଲିସ ସହାୟତାରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ଶିଶୁଟିର ଚିକିତ୍ସା ଜାରି ରଖିଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ଗୁରୁବାର ସକାଳେ ମହିଳା ଜଣକ ଶିଶୁଟିକୁ ଜନ୍ମକରି ନାଳରେ ଫୋପାଡ଼ିବା ପରେ କୁକୁର ପଲିଥିନ ବାହାରକୁ ଆଣି ଭୁକିବାକୁ ଆରମ୍ଭ କରିଥିଲା। ଏହି ସମୟରେ ସେଠାରେ ଥିବା ମୁଖ୍‌ତାର ନାମକ ଜଣେ ବ୍ୟକ୍ତି ଛୋଟପିଲାର କ୍ରନ୍ଦନ ଶୁଣି ପଲିଥିନ ନିକଟକୁ ଆସି ଦେଖିଲେ ସେଥିରେ ନବଜାତ ଶିଶୁଟି ବନ୍ଧା ହୋଇ ପଡିଛି। ଏହାପରେ ମୁଖ୍‌ତାର ପାଖ ପଡୋଶୀଙ୍କ ସହାୟତାରେ ପୋଲିସକୁ ଖବର ଦେଇ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଏ ସମସ୍ତ ଘଟଣା ରେକର୍ଡ ହୋଇଯାଇଥିଲା। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।