ଏଇ ଭାରତରେ

ଏକ ପରିବାର ଅଦାଲତ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ରାୟ ଦେବା ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଥିଲେ। ଏଭଳି ଏକ ରୋଚକ ଘଟଣା ଛତିଶଗଡ଼ର ରାୟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ପାମ୍‌ଗଡ ଥାନା ଅଞ୍ଚଳରେ ବାସକରୁଥିବା ପୁନିରାମ ସାହୁ ଏବଂ ତାଙ୍କ ସ୍ତ୍ରୀ ଯଶୋଧାରାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାର ବିଚାର ଦୀର୍ଘ ୨୦ ବର୍ଷ ଧରି ଚାଲିଛି। ପୁନିରାମ ଜଣେ ପରିବା ବେପାରୀ। ପରିବାର କୋର୍ଟ ପକ୍ଷରୁ ଯଶୋଧାରାଙ୍କୁ ୩୩ ହଜାର ୮ଶହ ଟଙ୍କା ଭରଣପୋଷଣ ଦେବାକୁ ପୁନିରାମଙ୍କୁ ଆଦେଶ ଦିଆଯାଇଥିଲା। ପୁନିରାମ ନିଜ ପାଖରେ ଥିବା ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ୍‌ ଥିବା ୫ଟି ବସ୍ତା ନେଇ ପହଞ୍ଚିଥିଲେ। ତେବେ ବିଚାରପତି କିରଣ ଚତୁର୍ବେଦୀ ଏହାକୁ ଗଣିବାକୁ ପୁନିରାମଙ୍କୁ କହିଥିଲେ। ସେ କୋର୍ଟ ଚଟାଣରେ ବସି ୩୩ ହଜାର ଟଙ୍କାର କଏନ୍‌ ଗଣିଗଣି ଯଶୋଧାରାଙ୍କୁ ଦେଇଥିଲେ। ଅବଶିଷ୍ଟ ୮ଶହ ଟଙ୍କା ୨୨ ଜୁଲାଇରେ ଦେବାକୁ କୋର୍ଟ ପୁନିରାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କଏନ୍‌ ବସ୍ତା ଯଶୋଧାରା ନେବାକୁ ମନାକରିବାରୁ ପୁନିରାମ ଏହାକୁ ବୋହିନେଇ ତାଙ୍କ ଘରେ ଦେଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।