ଏଇ ଭାରତରେ

ଜିଭ କାଟି ମହାଦେବଙ୍କୁ ଅର୍ପଣ କଲେ ଯୁବକ। ଆଧୁନିକ ବିଜ୍ଞାନ ଯୁଗରେ ଏବେ ମଣିଷ ଚନ୍ଦ୍ରରେ ବସତି ସ୍ଥାପନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥଳେ କେତେକ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା ଅବିଶ୍ୱସନୀୟ କାର୍ଯ୍ୟ କରୁଛନ୍ତି। ଛତିଶଗଡ଼ରେ ସମ୍ପ୍ରତି ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ କୋରବା ଅଞ୍ଚଳରେ ଥିବା କରତାଲା-ସେନ୍ଦ୍ରୀପାଲି ଜନଜାତିବହୁଳ ଗାଁରେ ଜଣେ ଯୁବକ ମାନସିକ ପୂରଣ ପାଇଁ ମହାଦେବ ମନ୍ଦିରରେ ଶିବଲିଙ୍ଗଙ୍କୁ ନିଜ ଜିଭ କାଟି ଅର୍ପଣ କରିଛନ୍ତି। ଲକ୍ଷ୍ମୀପ୍ରସାଦ ନାମକ ଏହି ଯୁବକ ସକାଳୁ କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଶେଷରେ ଲକ୍ଷ୍ମୀପ୍ରସାଦ ଗାଁ ମୁଣ୍ଡରେ ଥିବା ଶିବମନ୍ଦିରରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ଶିବଲିଙ୍ଗ ଉପରେ ଲକ୍ଷ୍ମୀପ୍ରସାଦଙ୍କର କଟାଜିଭ ରହିଥିବା ଲୋକେ ଦେଖିଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଇଁ ସେଠାରେ ତମ୍ବୁ ଟଣା ଯାଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।