ଏଇ ଭାରତରେ

ରକ୍ତଦାନ କରି ଗୋଟିଏ କୁକୁର ବଞ୍ଚାଇଲା ଆଉ ଏକ କୁକୁରର ଜୀବନ। ମଧ୍ୟପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ ଜାଣନ୍ତି। ହେଲେ ଏଠାରେ ଗୋଟିଏ କୁକୁର ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସୈସରା ଗାଁର ବନ୍ଦନା ଜାଟଓ୍ବଙ୍କର ୬ବର୍ଷର ଜିମି ନାମକ ଏକ ଜର୍ମାନ୍‌ ଶେଫାର୍ଡ କୁକୁର ରହିଛି। କିଛିଦିନ ହେବ ଜିମି ଅସୁସ୍ଥ ହୋଇ ପଡିବା ସହ ସେ ଏନିମିଆ ବା ରକ୍ତହୀନତାର ଶିକାର ହୋଇଥିବା ପଶୁଚିକିତ୍ସକ କହିଥିଲେ। ଏଥିପାଇଁ ଜିମିକୁ ରକ୍ତ ଦିଆଯିବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ କିଛିଦିନ ଔଷଧ ଦେଇ ଏହାକୁ ଠିକ୍‌ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଏଥିରେ କୌଣସି ସୁଫଳ ମିଳୁ ନ ଥିବା ଲକ୍ଷ୍ୟ କରାଯାଇଥିଲା। ଏହାପରେ ବନ୍ଦନା କୋସମଖେଡରେ ରହୁଥିବା ମହେନ୍ଦ୍ର ପ୍ରତାପ ସିଂଙ୍କ ସହ ଯୋଗାଯୋଗ କରିଥିଲେ। କାରଣ ତାଙ୍କର ଲିୟୋ ନାମକ ଏକ ଜର୍ମାନ୍‌ ଶେଫାର୍ଡ କୁକୁର ରହିଥିଲା। ଲିୟୋଠାରୁ ରକ୍ତ ଆଣି ଜିମିକୁ ଦେବାକୁ ଚେଷ୍ଟା କରିଥିଲେ ଘରୋଇ ପ୍ରାଣୀଚିକିତ୍ସକ। ଆଉ ଏହା ସଫଳ ମଧ୍ୟ ହୋଇଥିଲା। ଏହାର କିଛିଦିନ ପରେ ଲକ୍ଷ୍ୟ କରାଯାଇଛି ଏନିମିଆରେ ପୀଡିତ ଜିମି ଏବେ ପୂର୍ବାପେକ୍ଷା ସୁସ୍ଥ ଅଛି।