ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା ଶାହିନ୍‌ ପରଭେଜ୍‌ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହିତ ହନୁମାନ ଚାଳିଶା ପାଠ କରିଥାନ୍ତି। ଏହା ସହିତ ସେ ଘରେ ସମସ୍ତ ହିନ୍ଦୁ ଦେବଦେବୀଙ୍କୁ ମଧ୍ୟ ପୂଜା କରନ୍ତି। କାରଣ ସେ ସବୁ ଧର୍ମ ଉପରେ ବିଶ୍ୱାସ ରଖୁଥିବା କହିଛନ୍ତି। ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ ବୋଲି ଶାହିନ୍‌ କହିଥାନ୍ତି। ସ୍କୁଲରେ ପାଠ ପଢୁଥିବା ସମୟରୁ ସେ ଏଭଳି କରି ଆସୁଛନ୍ତି। ତେବେ ତାଙ୍କର ଏହି କାର୍ଯ୍ୟକୁ ପରିବାରର କୌଣସି ସଦସ୍ୟ ବିରୋଧ କରିନାହାନ୍ତି। ସେ ଜାଣନ୍ତି ଈଶ୍ୱର ଏକ ଏବଂ ଅଦ୍ୱିତୀୟ। ପ୍ରତ୍ୟେକ ମଣିଷକୁ ଭଲପାଇବା ସବୁଠୁ ବଡ ଧର୍ମ ବୋଲି ସେ ବିବେଚନା କରନ୍ତି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ ବାସକରନ୍ତି। ବେଳେ ବେଳେ କେତେକ ବ୍ୟକ୍ତି ଅସହିଷ୍ଣୁ ଭାବ ପୋଷଣ କରି ସାମ୍ପ୍ରଦାୟିକ ସଂଘର୍ଷର କାରଣ ହେଉଥିବାବେଳେ ଶାହିନ୍‌ଙ୍କ ହିନ୍ଦୁ ଦେବଦେବୀ ପୂଜନ ତଥାକଥିତ ଲୋକଙ୍କ ପାଇଁ ଭଲ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ।