ଏଇ ଭାରତରେ

ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏମାନେ ମୁଖ୍ୟତଃ ହିନ୍ଦୁ। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ ବାବୁ ଖାଁ କାଉଡ଼ିଆ ସାଜିଛନ୍ତି। ତାଙ୍କ ଉଦ୍ୟମ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ତାଙ୍କ କହିବା କଥା ହେଉଛି ଭାରତରେ ଗୀତା, କୋରାନ୍‌ ଭଳି ସବୁ ଧର୍ମଗ୍ରନ୍ଥର ମୂଳମନ୍ତ୍ର ହେଉଛି ଅହିଂସା। ଭାରତ ଭଳି ଏକ ଧର୍ମନିରପେକ୍ଷ ଦେଶରେ ମଣିଷକୁ ମଣିଷ ଭଲ ପାଇବା ହେଉଛି ପରମ ଧର୍ମ। ଏଠାରେ କୌଣସି ଧର୍ମ ଓ ସମ୍ପ୍ରଦାୟକୁ ପୃଥକ୍‌ ନ ଭାବି ବରଂ ସମାନ ଦୃଷ୍ଟିରେ ଦେଖିବା ଉଚିତ। ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କ ମଧ୍ୟରେ ଧର୍ମନିରପେକ୍ଷତା ଭାବନା ଜାଗ୍ରତ କରାଇଥାଏ। ଉତ୍ତରପ୍ରଦେଶର ବାଗ୍‌ପତ ଜିଲାର ବାସିନ୍ଦା ବାବୁ ହରିଦ୍ୱାରରୁ ପାଣିଭାର ନେଇ ତାଙ୍କ ଗାଁ ଇଂଛୋଡ଼ରେ ଥିବା ଶିବ ମନ୍ଦିରରେ ଲାଗି କରାଇବେ ବୋଲି କହିଛନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ ଘର ଲୋକେ କେହି ବିରୋଧ କରିନାହାନ୍ତି। ସେ ଏ ବର୍ଷ ଦ୍ୱିତୀୟ ଥର ଏଭଳି କରୁଥିବା ପ୍ରକାଶ କରିଛନ୍ତି। ବାବୁ ଖଁାଙ୍କ ଏଭଳି କାର୍ଯ୍ୟ ଭିନ୍ନ ଧର୍ମକୁ ହେୟ ଦୃଷ୍ଟିରେ ଦେଖୁଥିବା ଲୋକଙ୍କ ପାଇଁ ଏକ ନିଆରା ଦୃଷ୍ଟାନ୍ତ ନିଶ୍ଚୟ।