ଏଇ ଭାରତରେ

ଭାରତରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦେବୀଙ୍କ ଉପରେ ବିଶ୍ୱାସ ରଖି ପତିଙ୍କ ମଙ୍ଗଳ ଲାଗି ମହିଳାମାନେ ସେମାନଙ୍କ ସାମାଜିକ ସ୍ବୀକୃତିକୁ ଯେ ବନ୍ଧା ରଖୁଛନ୍ତି ତାହା ଘଟୁଛି ଆମ ଦେଶରେ। ପତିଙ୍କ ମଙ୍ଗଳ ଲାଗି ବିଧବା ବେଶରେ ରହିବା ପ୍ରଥା ଏବେ ବି ଉତ୍ତରପ୍ରଦେଶର ଗୋରଖପୁର, ଦେବରିଆ ଓ ଏହା ପାଖରେ ଥିବା ବିହାରର କିଛି ଅଞ୍ଚଳରେ ରହୁଥିବା ଗଛବାହ ସମ୍ପ୍ରଦାୟରେ ପ୍ରଚଳିତ। ଗଛବାହ ସମ୍ପ୍ରଦାୟର ମହିଳାମାନେ ସେମାନଙ୍କ ପତିଙ୍କ ମଙ୍ଗଳ ଲାଗି ବିଧବା ଜୀବନ ଜିଁଅନ୍ତି। ଏହି ସମ୍ପ୍ରଦାୟର ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି ତାଡି ସଂଗ୍ରହ କରିବା। ପୁରୁଷମାନେ ୫୦ ଫୁଟ୍‌ ଚିକ୍କଣ ତାଳଗଛରେ ଚଢି ବିପଜ୍ଜନକ ପରିସ୍ଥିତିରେ ତାଡି ସଂଗ୍ରହ କରନ୍ତି। ଚୈତ୍ରମାସଠାରୁ ଶ୍ରାବଣମାସ ଯାଏ ସେମାନେ ଏହି କାର୍ଯ୍ୟରେ ଲିପ୍ତ ରହନ୍ତି। ଏହି ୪ ମାସ ଯାକ ଗଛବାହ ସମ୍ପ୍ରଦାୟର ମହିଳାମାନେ ମଥାରେ ସିନ୍ଦୂର ପିନ୍ଧନ୍ତିିନି। ସେମାନଙ୍କ ବିବାହର ସବୁ ସନ୍ତକ ସମ୍ପ୍ରଦାୟର ଆରାଧ୍ୟା ଦେବୀ ମାତା ତରକୁଲ୍ଲାଙ୍କ ପାଖରେ ବନ୍ଧାରଖି ପତିଙ୍କ ମଙ୍ଗଳ କାମନା କରନ୍ତି। ଦେବୀଙ୍କ ଉପରେ ଏମିତି ବିଶ୍ୱାସ କରୁଥିବାରୁ ଏହି ସମ୍ପ୍ରଦାୟର ମହିଳାଙ୍କୁ ତର୍‌କୁଲ୍ଲାରିଷ୍ଟ୍‌ ବି କୁହାଯାଏ।