Categories: ଜାତୀୟ

ଏଏପିର ଉଦାର ହିନ୍ଦୁତ୍ୱ: ଭାଜପା ସମେତ ଅନ୍ୟ ଦଳ ପାଇଁ ଆଣିଛି ବିପଦ ଘଣ୍ଟି !

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଉଦାର ହିନ୍ଦୁତ୍ୱ ଛବି ବେଶ୍‌ ସଫଳ ରହିଛି। ଏହାଯୋଗୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି ଥରେ ୬୨ ଆସନ ବଳରେ କ୍ଷମତା ଦଖଲ କରିଛନ୍ତି। କେଜରିଓ୍ବାଲ ନିଜକୁ ହନୁମାନଙ୍କ ଭକ୍ତ ବୋଲି କହି ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ କରିଥିଲେ। ଏବେ ଉଦାର ହିନ୍ଦୁତ୍ୱ ଯୋଗୁ ସଫଳତା ହାସଲ ପରେ ଏଏପି ସୁନ୍ଦରାକାଣ୍ଡ ପାଠ ଆରମ୍ଭ କରିଛି। ଦଳ ପକ୍ଷରୁ ବିଧାୟକ ସୌରଭ ଭରଦ୍ୱାଜ ଟୁଇଟ୍‌ କରି କହିଛନ୍ତି ଯେ, ପ୍ରତି ମାସର ପ୍ରଥମ ମଙ୍ଗଳବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନ୍ଦରାକାଣ୍ଡ ପାଠ କରାଯିବ। ଏଏପିର ଏହି ଉଦାର ହିନ୍ଦୁତ୍ୱ ମନୋଭାବ ଯୋଗୁ ଭାଜପା ସମେତ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ପାଇଁ ବିପଦ ଘଣ୍ଟି ଆଣିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପା ଭଳି କଠୋର ହିନ୍ଦୁତ୍ୱ ଦଳ ଆଗରେ ଦିଲ୍ଲୀ ନିର୍ବାଚନରେ ଏଏପିର ଉଦାର ହିନ୍ଦୁତ୍ୱ ବେଶ୍‌ କାମ ଦେଇଛି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶିବଭକ୍ତ ବୋଲି ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରକାଶ କରିଥିଲେ। ସେହିପରି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ନିଜକୁ କୃଷ୍ଣଭକ୍ତ କହିବୁଲୁଛନ୍ତି।

Share