ଲକ୍ଷ୍ନୌ,୨୪।୧୨: ଆମ ଆଦ୍ମି ପାର୍ଟି (ଏଏପି) ବିଧାୟଙ୍କ ଅମାନତୁଲ୍ଲା ଖାଁ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଲୋକଙ୍କୁ ଉସୁକାଇବା ନେଇ ତାଙ୍କ ଉପରେ ଅଭିଯୋଗ ହେବା ସହ ଏତଲା ରୁଜୁ କରାଯାଇଛି। ସୋମବାର ଉତ୍ତରପ୍ରଦେଶ ପୋଲିସ ଗାଜିଆବାଦ କୋତଓ୍ବାଲି ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଛି। ଅମାନତୁଲ୍ଲା ସୋସିଆଲ ମିଡିଆ ଜରିଆରେ ଆପତ୍ତିଜନକ ଟିପ୍ପଣୀ ଦେଇ ସିଏଏ ବିରୋଧରେ ଏବଂ ଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ପାଇଁ ଉଦ୍ୟମ କରିଛନ୍ତି ବୋଲି ପୋଲିସ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପରିସର ନିକଟରେ ହୋଇଥିବା ହିଂସା ମାମଲାରେ ସେ ସାମିଲ ଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି ହିଂସାରେ ଯେଉଁ ୧୦ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା ସେଥିରେ ଅମାନତୁଲ୍ଲାଙ୍କ ନାଁ ନ ଥିବା ଜଣାପଡ଼ିଛି।