Categories: ଖେଳ

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ଚାଇନିଜ ଟିମ୍‌ ସହିତ ମ୍ୟାଚ ବିଳମ୍ବରେ

କୁଆଲାଲମ୍ପୁର, ୫ା୨ (ଏଏଫ୍‌ପି)-ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ କାର୍ଯ୍ୟସୂଚୀରେ ଚାଇନିଜ କ୍ଲବଗୁଡ଼ିକ ବିପକ୍ଷ ମ୍ୟାଚଗୁଡ଼ିକ ଏପ୍ରିଲ ଓ ମେ’କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ମ୍ୟାଚଗୁଡ଼ିକ ଫେବୃୟାରୀ ଓ ମାର୍ଚ୍ଚରେ ପର୍ଥ ଓ ସିଡ୍‌ନୀରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା। ମଙ୍ଗଳବାର ମାଲେସିଆ ରାଜଧାନୀ କୁଆଲାଲମ୍ପୁରଠାରେ ଏସିଆନ ଫୁଟ୍‌ବଲ କନଫେଡେରେଶନର ଏକ ଜରୁରୀକାଳୀନ ବୈଠକ ବସିଥିଲା। କରୋନା ଭାଇରସର ପ୍ରକୋପ ଯୋଗୁ ଚାଇନିଜ୍‌ ଫୁଟ୍‌ବଲ୍‌ ଟିମ୍‌କୁ ନେଇ ଖେଳାଯିବାକୁଥିବା ମ୍ୟାଚ ଗୁଡ଼ିକ ବିଳମ୍ବରେ କରିବା ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୬ଟି ସଦସ୍ୟ ରାଷ୍ଟ୍ର ଅଷ୍ଟ୍ରେଲିଆ, ଚାଇନା, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଥାଇଲାଣ୍ଡର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସମସ୍ତେ ଚାଇନିଜ୍‌ ଟିମ୍‌ ବିପକ୍ଷ ମ୍ୟାଚକୁ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ। ବାର୍ସିଲୋନାର ପୂର୍ବତନ ମହାନ ଖେଳାଳି ଆନ୍ଦ୍ରେ ଇନିଷ୍ଟାଙ୍କ କ୍ଲବ ଜାପାନର ଭିସେଲ କୋବେ ଏବଂ ଚାଇନାର ଗୁଆଙ୍ଗଝୋ ଏଭରଗ୍ରୋନଡ୍‌ ମଧ୍ୟରେ ମ୍ୟାଚ ମେ’ ୨୬ରେ ଖେଳାଯିବ। ସେହିପରି ଏପ୍ରିଲ ୨୮ରେ ପର୍ଥ ଗ୍ଲୋରି ଏବଂ ଶାଂଘାଇ ଶେନ୍‌ଜା ଦଳ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏପ୍ରିଲ ୨୯ରେ ସିଡ୍‌ନୀ ଏଫ୍‌ସି ବନାମ ଶାଂଘାଇ ଏସ୍‌ଆଇପିଜି ମ୍ୟାଚ ଖେଳାଯିବ। ମେ’ ୨୬ରେ ମେଲବୋର୍ନ ଭିକ୍ଟ୍ରି ଓ ବେଜିଂ ଏଫସି ପରସ୍ପରକୁ ଭେଟିବେ। କିନ୍ତୁ ଥାଇଲାଣ୍ଡ ଦଳ ଚିଆଙ୍ଗରାଇ ୟୁନାଇଟେଡ୍ସ ଓ ବେଜି ବିପକ୍ଷ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଖେଳାଯିବ। କାରଣ ବେଜିଂ ଦଳ ବର୍ତ୍ତମାନ ଦକ୍ଷିଣ କୋରିଆରେ ଏକ ଟ୍ରେନିଂ କ୍ୟାମ୍ପରେ ରହିଛି। ଚାଇନାରେ କରୋନା ଭାଇରସ ଦେଖା ଦେବା ପୂର୍ବରୁ ଏହି ଦଳ ବିଦେଶରେ ଅଭ୍ୟାସ ଚଳାଉଛି। ପୂର୍ବାଞ୍ଚଳ ପ୍ରି-କ୍ୱାର୍ଟର ରାଉଣ୍ଡ ଜୁନ୍‌ ୧୬ ଓ ୧୭ ତାରିଖରେ ଖେଳାଯିବ। ରିଟର୍ନ ଲେଗ୍‌ ଜୁନ୍‌ ୨୩ ଓ ୨୪ରେ ଆୟୋଜନ କରାଯାଇଛି। ଦେଶରେ ଇତିମଧ୍ୟରେ ୧୨ଟି କରୋନା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଅଷ୍ଟ୍ରେଲିଆନ ଅଫିସିଆଲମାନେ ସୂଚନା ଦେଇଛନ୍ତି। ଚାଇନାରୁ ଆସିଥିବା ଅଣ-ଅଷ୍ଟ୍ରେଲିଆ ନାଗରିକମାନଙ୍କୁ ପ୍ରବେଶରୁ ବଞ୍ଚତ୍ତ କରାଯାଇଛି। ଭାଇରସ ଦ୍ୱାରା ଇତିମଧ୍ୟରେ ୨୦,୦୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି। କେବଳ ମଙ୍ଗଳବାର ଚାଇନାରେ ୪୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ୨୪ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି।

Share