Categories: ଖେଳ

ଏଏଫ୍‌ସି ‘ପ୍ଲେୟାର ଅଫ୍‌ ଇୟର ପୁରସ୍କାର’ ଦୌଡ଼ରେ ଆଶାଲତା

ପୁଣେ,୧୭।୧୧ (ପି.ଟି.)- ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ ଏକ ବଡ଼ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଏସିଆନ ଫୁଟବଲ୍‌ କନ୍‌ଫେଡେରେଶନ (ଏଏଫ୍‌ସି) ‘ପ୍ଲେୟାର ଅଫ୍‌ ଦି ଇୟର’ ପୁରସ୍କାର ମହିଳା ବର୍ଗ ଲାଗି ତାଙ୍କ ନାମ ନୋମିନେଟ ବା ମନୋନିତ କରାଯାଇଛି। ଏହି ସମ୍ମାଜନକ ପୁରସ୍କାର ଦୌଡ଼ରେ ବିଶ୍ୱର ଅନ୍ୟ ଦୁଇ ଶ୍ରେଷ୍ଠ ଖେଳାଳି ଚାଇନାର ଲି ୟିଙ୍ଗ୍‌ ଓ ଜାପାନର ସାକି କୁମାଗାଇ ସାମିଲ ହୋଇଛନ୍ତି। ଗତ ଏକ ବର୍ଷ ହେବ ଆଶାଲତା ଜବରଦସ୍ତ ପ୍ରଦର୍ଶନ କରିବା ସହ ଭାରତର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨୦୧୯ ସାଫ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବା ସହ ଅଲିମ୍ପିକ ୨୦୨୦ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲା। ଜଣେ ଡିଫେଣ୍ଡର ହିସାବରେ ଆଶାଲତାଙ୍କ ପ୍ରଦର୍ଶନ ସବୁବେଳେ ଉଚ୍ଚକୋଟୀର ରହିଆସିଛି। ତାଙ୍କ ପ୍ରଦର୍ଶନ ବଳରେ କ୍ଳବ୍‌ ସେଥୁ ଏଫ୍‌ସି ଇଣ୍ଡିଆନ ଓମେନ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ ହୋଇଥିଲା। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତାଙ୍କୁ ୨୦୧୮-୧୯ ସିଜନ ପାଇଁ ଓମ୍ୟାନ ପ୍ଲେୟାର ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରିଥିଲା। ସେହିପରି ଏଆଇଏଫ୍‌ଏଫ୍‌ ମଧ୍ୟ ‘ଏଏଫ୍‌ସି ପ୍ରେସିଡେଣ୍ଟ ରେକଗନିଶନ ଆଓ୍ବାଡର୍‌ସ ଫର ଗ୍ରାସ୍‌ ରୁଟ ଲିଭେଲ(ଡେଭଲପିଙ୍ଗ୍‌)’ ପୁରସ୍କାର ପାଇଁ ଦୌଡ଼ରେ ସାମିଲ ହୋଇଛି। ଏଆଇଏଫ୍‌ଏଫ୍‌ ସହିତ ଦି ହଂକଂ ଫୁଟବଲ ଆସୋସିଏଶନ ଲିମିଟେଡ ଓ ଫୁଟବଲ ଆସୋସିଏଶନ ଅଫ୍‌ ସିଙ୍ଗାପୁର ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ଦୌଡ଼ାରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨ ତାରିଖରେ ହଂକଂରେ ଏଏଫ୍‌ସି ବାର୍ଷିକ ପୁରସ୍କାର ଘୋଷଣା କରାଯିବ। ସେତେବେଳେ ଆଶାଲତା ସାଉଥ୍‌ ଏସିଆନ ଗେମ୍ସ ଖେଳିବା ପାଇଁ କାଠମାଣ୍ଡୁରେ ଥିବେ। ଏହି ପ୍ରତିଯୋଗିତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
ପୁରସ୍କାର ପାଇଁ ମନୋନିତ ହୋଇଥିବାରୁ ଆଶାଲତା ଦେବୀ ଖୁସି ଜାହିର କରିଛନ୍ତି। ଜଣେ ଡିଫେଣ୍ଡର ହୋଇଥିବାରୁ ଏହି ପୁରସ୍କାର ପାଇଁ ମନୋନିତ ହେବି ବୋଲି ଭାବି ନ ଥିଲି। ସାଧାରଣତଃ ଷ୍ଟ୍ରାଇକର କିମ୍ବା ମିଡ୍‌ଫିଲ୍ଡରମାନେ ଏହି ପୁରସ୍କାର ହାସଲ କରିଥାନ୍ତି ବୋଲି ଆଶାଲତା କହିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆସିଥିବା ଆଶାଲତା ୧୫ ବର୍ଷ ନ ହେବା ପର୍ଯ୍ୟନ୍ତ ଫୁଟବଲରେ କ୍ୟାରିୟର ଗଢ଼ି ହେବ ବୋଲି ଭାବି ନ ଥିଲେ। ୨୦୦୮ରେ ଗ୍ବାଲିୟରରେ ଅନୁଷ୍ଠିତ ୧୭ ବର୍ଷରୁ କମ ପ୍ରଶିକ୍ଷଣ ଶିବିରରେ ସାମିଲ କରାଯାଇଥିଲ। ଏହାପଠାରୁ ସେ ପଛକୁ ଫେରିଚାହିଁନାହାନ୍ତି। ଏହି ବର୍ଷ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।

Share