ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ: ତ୍ରୁଟିକୁ ସ୍ବୀକାର କଲେ ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ସ୍ବୀକାର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ପ୍ରଥମ ଥର ପାଇଁ ଏକା ସାଙ୍ଗରେ ପରୀକ୍ଷା ହେଉଥିବାରୁ ଏଭଳି ଅସୁବିଧା ଦେଖାଦେଇଛି। ତଥାପି ନବେ ପ୍ରତିଶତ ଠିକ୍‌ ଅଛି। ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ବୈଠକ ଡ଼କା ଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାରଠାରୁ ଏକକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ରକୁ ନେଇ ବିଭ୍ରାଟ ଦେଖାଦେଇଥିଲା। ପୁରୀ ଜିଲାର ବ୍ରହ୍ମଗିରି, ଅସ୍ତରଙ୍ଗ, ପିପିଲି, କାକଟପୁର, ଗୋପ ଅଞ୍ଚଳ ସମେତ କେନ୍ଦ୍ରାପଡ଼ାର ଅନେକ ସ୍ଥାନରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍କୁଲରେ ପ୍ରଶ୍ନପତ୍ର ଅଭାବ ହେବାରୁ କେଉଁଠି ଜେରକ୍ସ ତ ଆଉ କେଉଁଠି ବ୍ଲାକ୍‌ବୋର୍ଡରେ ଇତିହାସ, ଭୂଗୋଳ ପ୍ରଶ୍ନ ଲେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା କରିଥିଲେ।

Share