Categories: ଗଞ୍ଜାମ

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ :ପ୍ରଶ୍ନପତ୍ର ନିଅଣ୍ଟକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୨।୧୧(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ରହିଥିବା ପ୍ରାୟ ୩ ଶହ ବିଦ୍ୟାଳୟରେ ଶୁକ୍ରବାର ଏକକ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେବେ ପରିଚାଳନାଗତ ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡିଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୮,୫୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ରହିଥିବାବେଳେ ପ୍ରଥମରେ ୨୬୧୧, ଦ୍ୱିତୀୟରେ ୨୫୦୩, ତୃତୀୟରେ ୨୪୦୮, ଚତୁର୍ଥରେ ୨୩୭୯, ପଞ୍ଚମରେ ୨୪୧୦, ଷଷ୍ଠରେ ୨୦୦୭, ସପ୍ତମରେ ୨୦୧୮ ଏବଂ ଅଷ୍ଟମରେ ୨୨୪୨ ଜଣ ପରୀକ୍ଷାର୍ଥୀ ଅଛନ୍ତି। ତେବେ ତୃତୀୟ ଭାଗ ଇଂଲିଶ ପ୍ରଶ୍ନପତ୍ର ପହଞ୍ଚତ୍ ନ ଥିବାବେଳେ ସପ୍ତମ ଏବଂ ଅଷ୍ଟମରେ ଇତିହାସ ପ୍ରଶ୍ନପତ୍ର ପହଞ୍ଚତ୍ନାହିଁ। ଫଳରେ ଗୋଟିଏ ପ୍ରଶ୍ନପତ୍ର ଯୋଗାଡକରି ଜେରକ୍ସ କରାଯାଇଥିବା ଜଣାପଡିଛି। ଏ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡି ବିଇଓ କାର୍ଯ୍ୟାଳୟ ପକ୍ଷରୁ ପ୍ରଶ୍ନପତ୍ର ନିଅଣ୍ଟ ଏବଂ ପ୍ରଶ୍ନପତ୍ର ନଥାଇ ପରୀକ୍ଷା କରାଯାଉଥିବା ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଇଛି। କନ୍ଧମାଳ ସୁରକ୍ଷା ଅଭିଯାନର ଆବାହକ ପ୍ରତାପ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଦାରିଙ୍ଗବାଡିରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। ବିଆର୍‌ସିସି ତଥା ଏବିଇଓ ସୁବାସିନୀ ଦିଗାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କିଛି ପ୍ରଶ୍ନପତ୍ର ପହଞ୍ଚତ୍ବାରେ ସମସ୍ୟା ରହିଥିଲା, ତାକୁ ସମାଧାନ କରାଯାଉଛି।