Categories: ଜାତୀୟ

ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରକୁ ବିପଦ

ନୂଆଦିଲ୍ଲୀ, ୨୬ା୬: ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରର ସଫଳତା ଲାଗି ବିପଦ ସୃଷ୍ଟି କରିଥାଏ। ଇମର୍ଜେନ୍ସି ଲଗାଇ ସରକାର ନିଜ ଲୋକଙ୍କୁ ଜେଲ୍‌ ପଠାଇ ନିର୍ଯାତନା ଦେବା ଅନୁଚିତ। ଏହା ଅଦାଲତଙ୍କ କାମ, ସେ ହିଁ ଜେଲ୍‌ କିମ୍ବା ବେଲ୍‌ ଲାଗି ନିର୍ଦ୍ଦେଶ ଦେଇପାରିବେ। ୧୯୭୫ ମସିହା ଜୁନ୍‌ ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲଗାଇଥିବା ଜରୁରିକାଳୀନ ପରିସ୍ଥିତିର ୪୪ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏଭଳି ମତ ରଖି କଂଗ୍ରେସ କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି। ଦଳ କ୍ଷମତାରେ ରହିବା ଲାଗି ରାତାରାତି ଇମର୍ଜେନ୍ସି ଲଗାଗଲା। ସମ୍ବିଧାନରୁ ଗଣତନ୍ତ୍ର ଶବ୍ଦକୁ ଦଳିମକଚି ଦିଆଗଲା। ଏନେଇ କାହାରି ମତାମତ ନିଆଗଲା ନାହିଁ। ଲୋକ ସଭା ନିର୍ବାଚନ ପରେ ୧୩୦ କୋଟି ଲୋକଙ୍କ ରାୟ ଗଣତନ୍ତ୍ର ସପକ୍ଷରେ ଆସିଥିଲା। ଶେଷରେ ଗଣତନ୍ତ୍ର ଏକଚ୍ଛତ୍ରବାଦୀ ମାନସିକତା ଉପରେ ବିଜୟ ଲାଭ କଲା। ଗୃହରେ ଅଟଳ ବିହାରୀ ବାଜପେୟୀ, ନରସିଂହ ରାଓ କିମ୍ବା ମନମୋହନ ସିଂଙ୍କ ଭଳି ବରିଷ୍ଠ ନେତାଙ୍କ କାର୍ଯ୍ୟ ସଫଳତା ବିଷୟରେ କଂଗ୍ରେସ ନେତାଙ୍କ ମୁହଁରୁ ପଦେ କଥା କେବେ ଶୁଣିବାକୁ ମିଳୁ ନ ଥିବା ମୋଦି କହିଛନ୍ତି। ଗୃହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ମତରଖି ମୋଦି ଏଭଳି କଂଗ୍ରେସକୁ କଟୁ ସମାଲୋଚନା କରି କହିଛନ୍ତି।
ବିକାଶକୁ ଆମେ ପ୍ରାଥମିକତା ଦେଇଆସିଛୁ। ଦୁର୍ନୀତି ବିରୋଧରେ ଆମର ଲଢ଼େଇ ଜାରି ରହିଛି। ଦୋଷୀଙ୍କୁ କେବଳ ଅଦାଲତ ହିଁ ଦଣ୍ଡ ଦେବ ବୋଲି ମୋଦି ଏହି ଅବସରରେ କହିଛନ୍ତି। କଂଗ୍ରେସ ସମାଲୋଚନା ଛାଡ଼ି ଗଠନମୂଳକଭାବେ ଦେଶ ବିକାଶ କଥା ଚିନ୍ତା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ମୋଦି କହିଥିଲେ ଯେ, ଆଇନର ଶାସନ ମୋ ସରକାରରେ ଚାଲିଛି। କେହି ଦୁର୍ନୀତି କଲେ, ଅଦାଲତ ସେମାନଙ୍କୁ ଦଣ୍ଡିତ କରିବ। ସରକାର ଲୋକଙ୍କ ସହ ରହି ଗଣତନ୍ତ୍ରିକ ଧାରା ବଜାୟ ରଖି ବିକାଶ କ୍ଷେତ୍ରକୁ ପ୍ରଶସ୍ତ କରିବ ଓ ଏଥିଲାଗି ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ମୋଦି ଲୋକ ସଭାରେ କହିଛନ୍ତି।

Share