Categories: ଜାତୀୟ

ଏକତରଫା ପ୍ରେମକୁ ନେଇ ଯୁବକଙ୍କ ଉପରେ ଏସିଡ୍‌ ମାଡ଼ କଲେ ଯୁବତୀ

ଉନ୍ନାଓ,୨୮।୧: ପ୍ରତିଦିନ ରୋଡ ରୋମିଓଙ୍କ ଓ ଏସିଡ୍‌ ମାଡ଼ ଘଟଣା ସାମ୍ନାକୁ ଆସୁଛି। ହେଲେ ଉତ୍ତରପ୍ରଦେଶ ଉନ୍ନାଓରୁ ଏକ ବିଚଳିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଏକ ତରଫା ପ୍ରେମକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କ ଉପରେ ଏସିଡ୍‌ ମାଡ଼ କରିଛନ୍ତି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମୋରାଓ୍ବା ଥାନା ଅଞ୍ଚଳ ଗୋନାମଉରେ ରହୁଥିବା ୨୫ବର୍ଷୀୟ ରୋହିତ ଏକ ମିଲ୍କ ଡେରୀରେ କାମ କରନ୍ତି। ସୋମବାର ବିଳମ୍ବିତ ରାତିରେ ଟ୍ୟାଙ୍କରରେ କ୍ଷୀର ପୂରାଇ ସପ୍ଲାଇ ପାଇଁ ପଠାଇବା ପରେ ସେ ଡେରୀରେ ସଫା ସୁତୁରା କରୁଥିଲେ। ସେହି ସମୟରେ ଜଣେ ଯୁବତୀ ତାଙ୍କ ପାଖକୁ ଆସି ଏସିଡ ମାଡ଼ କରିଥିଲେ। ରୋହିତଙ୍କ ଚିତ୍କାର ଶୁଣି ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିରେ ରୋହିତଙ୍କର ବେକ, କାନ, ଛାତି ଓ ପିଠିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଙ୍ଗଳବାର ଉକ୍ତ ଯୁବତୀ, ତାଙ୍କ ବାପା ଓ ମା’ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଯୁବତୀ ଜଣକ ଦୀର୍ଘ ୫ ମାସରୁ ରୋହିତଙ୍କୁ ଏକ ତରଫା ପ୍ରେମ କରୁଥିଲେ। ରୋହିତ ହିନ୍ଦୁ ହୋଇଥିବା ବେଳେ ଯୁବତୀ ଜଣଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟର। ନିକଟରେ ରୋହିତଙ୍କୁ ଯୁବତୀ ଜଣକ ପ୍ରେମ ନିବେଦନ କରିଥିଲେ। ହେଲେ ରୋହିତ ତାଙ୍କୁ ମନା କରିଦେଇଥିଲେ। ଏଥିପାଇଁ ତାଙ୍କ ଉପରେ ଏହି ଆକ୍ରମଣ କରିଥିଲେ ବୋଲି ଯୁବତୀ ଜଣଙ୍କ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share