ଏକଦିବସୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ: ‘ପରିମାର୍ଜିତ ହେଲେ ଶିକ୍ଷାର ବିକାଶ ହେବ’

କାମାକ୍ଷାନଗର, ୨୭।୧୦(ଡି.ଏନ.ଏ.) – ପ୍ରଧାନ ଶିକ୍ଷକ ବିଦ୍ୟାଳୟର ମୁରବି। ତାଙ୍କୁ ଅନୁକରଣ କରି ସହକାରୀ ଶିକ୍ଷକମାନେ କାର୍ଯ୍ୟ କରନ୍ତି। ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଏବଂ ବ୍ୟବହାର ପରିମାର୍ଜିତ ହେବା ନିତାନ୍ତ ଜରୁରୀ। ସହକାରୀଙ୍କୁ ପରିବାର ସଦସ୍ୟ ଭାବିଲେ ଏବଂ ଛାତ୍ରୀଛାତ୍ରଙ୍କୁ ନିଜ ସନ୍ତାନ ଭଳି ବିଚାର କରି ସ୍ନେହ ଦେଲେ ଶିକ୍ଷାର ବିକାଶ ହେବ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। କାମାକ୍ଷାନଗର ବିଇଓଙ୍କ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଏକଦିବସୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ୬୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ଶିକ୍ଷାର ଉନ୍ନତି ଲାଗି ବିଧାୟକ ପାଣ୍ଠିରୁ ୫୫ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଏଥିସହ ପ୍ରତି ସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ଏକାଦଶ ବ୍ରତ ଏବଂ ସନ୍ଥକବି ଭୀମ ଭୋଇଙ୍କ ମୁଖନିଃସୃତ ବାଣୀକୁ ଲିପିବଦ୍ଧ କରିବାକୁ ପରାମର୍ଶ ଦେଇଥିଲେ। ବିଇଓ ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶ ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସାରଙ୍ଗଧର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା, ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଶିକ୍ଷାବିତ୍‌ ମାୟାଧର ପାଣି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ଆତ୍ମଜୀବନୀ ପୁସ୍ତକ ବଣ୍ଟନ କରିଥିଲେ। କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ସ୍ବାଗତ ଭାଷଣ ଏବିଇଓ ଜଳଧର ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ୩୧ ହାଇସ୍କୁଲ, ୧୫୦ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ। ଏବିଇଓ କୃଷ୍ଣଚନ୍ଦ୍ର ଭୋଇଙ୍କ ସମେତ ସମସ୍ତ ସିଆର୍‌ସିସି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।