Categories: ଖେଳ

ଏକମାତ୍ର ଟେଷ୍ଟରେ ବାଂଲାଦେଶ ବିଜୟୀ

ଢାକା, ୨୫।୨ (ଏଏଫ୍‌ପି)- ଅଫ୍‌-ସ୍ପିନର ନଇମ୍‌ ହାସାନଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଏକ ଇନିଂସ ଓ ୧୦୬ ରନର ବୃହତ୍‌ ବ୍ୟବଧାନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ସ୍ଥାନୀୟ ଶେର୍‌ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ମଙ୍ଗଳବାର ୪ର୍ଥ ଦିବସରେ ସମାପ୍ତ ହୋଇଯାଇଛି। ୨୯୫ ରନ ପଛରେ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭ୍ରମଣକାରୀ ଜିମ୍ବାଓ୍ବେ ଦଳ ମାତ୍ର ୧୮୯ ରନରେ ସୀମିତ ରହିଥିଲା। ଅଧିନାୟକ କ୍ରେଗ ଇର୍ଭିନ (୪୩), ସିକନ୍ଦର ରାଜା (୩୭), ତିମେସେନ ମାରୁମା (୪୧) ଓ ବ୍ରେଣ୍ଡନ ଟେଲର (୧୭)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବ୍ୟାଟ୍ସମ୍ୟାନ ସଫଳ ହୋଇପାରି ନ ଥିଲେ। ବାଂଲାଦେଶ ପକ୍ଷରୁ ନଇମ ୫ ଓ ତାଇଜୁଲ ଇସଲାମ ୪ ଉଇକେଟ୍‌ ନେଇଥିଲେ। ଫଳରେ ପ୍ରଥମ ଇନିଂସରେ ୪ ଉଇକେଟ୍‌ ନେଇଥିବା ନଇମ ମ୍ୟାଚ୍‌ରେ ମୋଟ୍‌ ୯ ଉଇକେଟ୍‌ ସଫଳତା ପାଇଛନ୍ତି। ଅଧିନାୟକ ଭାବେ ମୋମିନୁଲ ହକ ପ୍ରଥମ ଟେଷ୍ଟ ବିଜୟ ସ୍ବାଦ ଚାଖିଛନ୍ତି।
ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ ଇନିଂସରେ ଇର୍ଭିନ (୧୦୭)ଙ୍କ ଶତକ ବଳରେ ୨୬୫ ରନ କରିଥିଲା। ଜବାବରେ ବାଂଲାଦେଶ ଉଇକେଟ୍‌କିପର ମୁସଫିକର ରହିମ (୨୦୩)ଙ୍କ ଅପରାଜିତ ଦ୍ୱିଶତକ ଓ ଅଧିନାୟକ ମୋମିନୁଲ ହକ୍‌ (୧୩୨)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୬ ଉଇକେଟ୍‌ ବିନିମୟରେ ୫୬୦ ରନ କରି ଇନିଂସ ଘୋଷଣା କରିଥିଲା। ଦ୍ୱିଶତକୀୟ ଇନିଂସ ଲାଗି ମୁସଫିକର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ମାର୍ଚ୍ଚ ୧ରୁ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ।

Share