Categories: ଫୁରସତ

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା କରି ନ ଥାଆନ୍ତି ।

୮-୯ ଘଣ୍ଟିଆ ଶିଫ୍ଟ ସରିଯାଇଥିଲେ ହେଁ ସେ ନାଇଟ୍‌ ଡ୍ୟୁଟିକୁ ଯାଉଥିବା ମହିଳା ହୁଅନ୍ତୁ ଅବା ଲେଟ ନାଇଟ୍‌ ଫ୍ଲାଇଟ୍‌ ଧରିବାକୁ ଥିବା ମହିଳାଙ୍କୁ ସୁରକ୍ଷିତଭାବେ ନେଇଥାଆନ୍ତି। ତେଣୁ ସେ ସମସ୍ତଙ୍କର ପ୍ରିୟ ରାଜି ଆକ୍କା(ଭଉଣୀ) ପାଲଟିଛନ୍ତି। ତେବେ ରାଜିଙ୍କର ସର୍ତ୍ତଥାଏ ଯେ, ଅତିକମ୍‌ରେ ଏକ ଘଣ୍ଟା ଆଗରୁ ବୁକ୍‌ କରିବାକୁ ହେବ। ଦୀର୍ଘ ୨୦ ବର୍ଷ ହେବ ସେ ଅଟୋ ଚଲାଉଛନ୍ତି। ରାଜି ଛୋଟପିଲା, ବୟସ୍କ ବ୍ୟକ୍ତି ଓ ଭଡା ଦେବା ପାଇଁ ପାଖରେ ଟଙ୍କା ନ ଥିବା ମହିଳାଙ୍କୁ ମାଗଣାରେ ନିଅନ୍ତି। ଦିନକୁ ସେ ୩୦ଟି ଟ୍ରିପ୍‌ ନେଇଥାଆନ୍ତି। ଆଉ ମାସିକ ୩୦-୪୦ ହଜାର ଟଙ୍କା ରୋଜଗାର କରନ୍ତି। ରାଜି ପ୍ରକୃତରେ କେରଳ, ପଲ୍ଲକଡର ଅଟନ୍ତି। ଗ୍ରାଜୁଏଶନ୍‌ କରିବା ସମୟରେ ସେ ଅଶୋକ ନାମକ ଅଟୋ ଡ୍ରାଇଭର୍‌ଙ୍କୁ ଭଲ ପାଇ ବିବାହ କଲେ। ଆଉ ସେମାନେ କୋଏମ୍ବାଟୋର ଚାଲିଗଲେ। ସେଠି ଅଶୋକ ଅଟୋ ଚଳାଇଲେ ଓ ରାଜି ଟ୍ରାଭେଲ ଏଜେନ୍ସିରେ ଆକାଉଣ୍ଟାଣ୍ଟ ଭାବେ କାମ କଲେ। ୧୯୯୮ରେ କୋଏମ୍ବାଟୋରରେ ବିସ୍ଫୋରଣ ଘଟଣା ଘଟିବା ପରେ ସେମାନେ ଚେନ୍ନାଇ ଚାଲିଯାଇଥିଲେ। ସେଠାରେ କିନ୍ତୁ ଚାକିରି ନ ମିଳିବାରୁ ସେ ନିଷ୍ପତ୍ତି ନେଲେ ସ୍ବାମୀଙ୍କ ପରି ଅଟୋ ଚଳାଇବେ। ପ୍ରାରମ୍ଭିକ ସମୟରେ ଅଟୋ ଚଳାଇବା ତାଙ୍କ ପାଇଁ ଏତେ ସହଜ ନ ଥିଲା। ହେଲେ ଏବେ ସେ ଏହି କାମରେ ବେଶ୍‌ ପାରଙ୍ଗମ। ଖାସ୍‌ କରି ମହିଳାଙ୍କ ପାଇଁ ସେ ସ୍ବତନ୍ତ୍ର ସେବା ପ୍ରଦାନ କରୁଛନ୍ତି। ତେଣୁ ସେ ମହିଳାଙ୍କର ପ୍ରିୟ ପାଲଟିଛନ୍ତି। ତାଙ୍କୁ କଲେଜରେ

ମୋଟିଭେଶନାଲ୍‌ ଟକ୍‌ ପାଇଁ ବି ନିମନ୍ତ୍ରଣ କରାଯାଉଛି। ଚେନ୍ନାଇର ୧୩ଟି କଲେଜରେ ଟକ୍‌ ଦେଇସାରିଲେଣି। ଏହାଛଡା ସେ ମହିଳାଙ୍କୁ ମାଗଣାରେ ଅଟୋ ଚଳାଇବା ତାଲିମ ବି ଦେଉଛନ୍ତି।

Share