ଏକାଠି ପିଉଥିଲେ ମଦ, ଆଉ ତାପରେ…

ତେନ୍ତୁଳିଖୁଣ୍ଟି, ୨୭।୧: ମଦ୍ୟ ପାନ କରି ବଚସା ପରେ ହାତାହାତି ହୋଇ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡ଼ା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ମୃତକ ହେଲେ ଥବୀର ଜାନି।
ମଙ୍ଗଳବାର ଥବୀର କେତେଜଣ ଯୁବକଙ୍କ ସହ ଗାଁରେ ବସି ମଦ୍ୟପାନ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। କଥା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସମସ୍ତେ ମିଶି ଥବୀରଙ୍କୁ ମାଡ଼ ମାରିଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ଗ୍ରାମବାସୀ ଓ ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଖବରପାଇ ତହସିଲଦାର ପ୍ରଦୀପ କର ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ସହାୟତା ଦେବାସହ ଦୋଷୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଏହି ଘଟଣାରେ ବୁଧବାର ଜୟନ୍ତ ହରିଜନ, ରୋହିତ ହରିଜନ, ଅବ୍ଦୁଲ ସଲାମ ନାଗଙ୍କୁ ଗିରଫ କରାଯାଇଛି। ଗଲିଷ୍ଟନ ବାଘ ଫେରାର ଥିବା ଜଣାପଡିଛି। ତେନ୍ତୁଳିଖୁଣ୍ଟି ପୋଲିସ ପକ୍ଷରୁ କେସ୍‌ ନଂ. ୧୨/୨୧ରେ ମାମଲା ରୁଜୁ କରାଯାଇଛି।

Share