ଏକାଧିକ ଚୋରି, ଡକାୟତିରେ ସଂପୃକ୍ତ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨୦୧୯ରୁ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ସିମନବାଡ଼ି ଗ୍ରାମର କୃପାକର ମୁଖୀ। ତାଙ୍କ ନାମରେ ପୂର୍ବରୁ ୯୩/୧୯ରେ ଏକ ମାମଲା ରହିଥିଲା।
ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ୧୬ରେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ବାଇମାଲା ଗ୍ରାମରେ ଦୁଇଜଣ ମହିଳା ଘରେ ଏକାକୀ ରହିଥିବା ସୁଯୋଗ ନେଇ କୃପାକର ଘରର କାନ୍ଥ ଭାଙ୍ଗି ଅସଦାଚରଣ କରିବାକୁ ଉଦ୍ୟମ କରିବା ସହ ମାରଣାସ୍ତ୍ର ଦେଖାଇ ୭୦ହଜାର ଟଙ୍କା ଲୁଟ୍‌ କରିଥିଲେ। ପରେ ଦୁଇ ମହିଳା ତଥା ଶାଶୂ ନିବାଜିନୀ ଦିଗାଳ ଏବଂ ବୋହୂ ସିଲା ଦିଗାଳ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଲୁଟ୍‌ ବେଳେ ଦୁଇ ମହିଳା ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇ ଦୁର୍ବୃତ୍ତ ଜଣକ ମୋବାଇଲ ଛାଡ଼ି ପଳାଇଥିଲେ । ମୋବାଇଲକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ ସୁଦ୍ଧା କୃପାକର ସେହିଦିନଠାରୁ ଫେରାର ହୋଇଯାଇଥିଲେ। ଏବେ ସେ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଗିରଫ କରିଥିଲା ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।

Share