Categories: ମେଟ୍ରୋ

ଏକାମ୍ର କ୍ଷେତ୍ର ଉଚ୍ଛେଦ ସ୍ଥଳରେ ଉଠା ଦୋକାନୀ

ପୁରୁଣା ଭୁବନେଶ୍ୱର,୯।୩(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ ସିମେଣ୍ଟ ଟାଇଲ ବିଛା ଯାଇଥିଲା। ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ପ୍ଲାଷ୍ଟିକ କୁଣ୍ଡରେ ଭଳିକିଭଳି ଗଛ ଲଗା ଯାଇଥିଲା। ସାଧାରଣ ଟ୍ରାଫିକ ସମସ୍ୟା, ଉଚ୍ଛେଦ ସ୍ଥଳ ଓ ଦେବୀପାଦହରା ତଳ ବଜାର ନିକଟରେ ପୂର୍ବରୁ ଯେଉଁଭଳି ଉଠା ଦୋକନୀମାନଙ୍କ ସମସ୍ୟା ଲାଗି ରହିଥିଲା ଏବେ ତାହାଠାରୁ ଅଧିକ ବଢି ଯାଇଛି। ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ସାଧାରଣ ଲୋକଙ୍କୁ ପାର୍କିଂ ପକେଟମାର ପ୍ରତି ସଚେତନ କରିବା ଉଦ୍ଦେଶ୍ୟରେ ହୋର୍ଡିଂମାନ ଲଗା ଯାଇଥିଲା। ବେଆଇନ ଭାବେ ପାର୍କିଂ ଜରିମାନା ଦେବାକୁ ପଡିବ ବୋଲି ହୋର୍ଡିଂମାନ ଲଗାଯାଇଥିଲା। ଅଳିଆ ନ ପକାଇବାକୁ ମଧ୍ୟ କୁହାଯାଇଥିଲା। ହେଲେ ଏସବୁର ତଦାରଖ କିଏ କରିବ, ଫାଇନ କିଏ ଆଦାୟ କରିବ ତାହାକୁ ଅଧିକାରୀମାନେ ପାସୋରି ଗଲେଣି। ଯେଉଁଠାରେ କଟକଣା ହୋର୍ଡିଂ ଲଗାଯାଇଥିଲା ସେଠାରେ ଆଇନକୁ ଆଖିଠାର ମାରି ଗୁପଚୁପ, ଦହିବରା, ଆଇସକ୍ରିମ ଠେଲା ଗାଡିରେ ବ୍ୟବସାୟୀମାନେ ଆଣି ପସରା ମେଲାଇ ବିକ୍ରୟ କରୁଛନ୍ତି। ବିଏମସି କର୍ମଚାରୀ ଓ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ଅଜଥା ଉଠା ଦୋକାନୀଙ୍କ ରୋଷର ଶିକାର ହେବାକୁ ଚାହଁୁ ନାହିଁି। ଏଣୁ ସାଧାରଣ ଛୋଟଛୋଟ ସମସ୍ୟା ଦୂର କରି ଟ୍ରାଫିକ୍‌ ଓ ଉଠାଦୋକାନୀଙ୍କ ଯୋଗୁ ଉପୁଜୁ ଥିବା ସମସ୍ୟା ଦୂର କରିବାକୁ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏହାସହ କଟକଣା ନେଇ ଲଗା ଯାଇଥିବା ହୋର୍ଡିଂ ଅନୁଯାୟୀ ଫାଇନ ଆଦାୟ ସହ ବିଦ୍ୟୁତ୍‌ ଅଫିସ ଛକ ଓ ବଢେଇବାଙ୍କ ଛକ ପରି ଜାଗାକୁ ଉଠା ଦୋକାନୀ ମୁକ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ କେବଳ ଉଚ୍ଛେଦ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଶାସନ ଚୁପ ହୋଇ ବସିଲେ ଏକାମ୍ର କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଅଧୁରା ରହିଯିବ।

Share