Categories: ଖେଳ

ଏକାସଙ୍ଗେ ଖେଳିପାରନ୍ତି ମେସି, ରୋନାଲ୍ଡୋ

ବାର୍ସିଲୋନା,୬।୨- ବର୍ତ୍ତମାନ ଫୁଟବଲ କ୍ରୀଡ଼ାର ଦୁଇ ବଡ଼ ନାମ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି। ଦୁହିଁଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ୍‌ ଅଧିକ। ବହୁବାର ଦୁଇ ଖେଳାଳିଙ୍କ ପ୍ରଶଂସକଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ନେଇ ବଚସା ହୁଏ। ଏହାର ବହୁ ଉଦ୍‌ହାରଣ ରହିଛି। କିନ୍ତୁ ବର୍ତ୍ତମାନ ରୋନାଲ୍ଡୋ ଓ ମେସି ଏକାସଙ୍ଗେ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ସିଜନ ଶେଷରେ ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଲା ଲିଗା ଲିଗ୍‌ କ୍ଲବ ବାର୍ସିଲୋନା ଛାଡ଼ି ପାରନ୍ତି। କ୍ଲବ ସହ ଥିବା ତାଙ୍କ ଚୁକ୍ତିରେ ଏକ ସ୍ବତନ୍ତ୍ର କ୍ଲଜ ରହିଛି, ଯାହା ମେସିଙ୍କୁ ନିଜ ଇଚ୍ଛାରେ ବିଶ୍ୱର ଯେ କୌଣସି କ୍ଲବରେ ଯୋଗଦେବାକୁ ଅନୁମତି ଦେଉଛି। ତାଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରତ୍ୟେକ କ୍ଲବ ଇଚ୍ଛୁକ। ମାତ୍ର ବିଶ୍ୱର କିଛି ହାତ ଗଣତି କ୍ଲବକୁ ଛାଡ଼ିଦେଲେ ମେସିଙ୍କୁ ଦଳରେ ରଖିବାର ସାମର୍ଥ୍ୟ ପ୍ରାୟ ଦଳର ନାହିଁ। କାରଣ ତାଙ୍କ ବାର୍ଷିକ ଦରମା ଖୁବ୍‌ ଅଧିକ। କିନ୍ତୁ ବିଶ୍ୱର ୫ ଲୋକପ୍ରିୟ ଦଳ ଆର୍ଜେଣ୍ଟିନା ଷ୍ଟାରଙ୍କ ପାଇଁ ଇଚ୍ଛା ପ୍ରକାଶ କରିଥିବା ଇଟାଲିଆନ ଖବର କାଗଜ ଲା ଗାଜେଟା ଡେଲ ସ୍ପୋର୍ଟର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ତାଲିକାରେ ରହିଛି ଇଟାଲିଆନ କ୍ଲବ ଜୁଭେଣ୍ଟସ, ଯେଉଁ ଦଳରେ ଖେଳୁଛନ୍ତି ରୋନାଲ୍ଡୋ। ଯଦି ଜୁଭେଣ୍ଟସ ମେସିଙ୍କ ସହ ଚୁକ୍ତି କରିବାରେ ସଫଳ ହୁଏ, ତେବେ ମେସି ଓ ରୋନାଲ୍ଡୋଙ୍କୁ ଏକାସଙ୍ଗେ ଖେଳୁଥିବାର ଦେଖିବାକୁ ମିଳିପାରେ। ସିରି ଏ ଚାମ୍ପିୟନ ଜୁଭେଣ୍ଟସ ବ୍ୟତୀତ ମାଞ୍ଚେଷ୍ଟର ୟୁନାଇଟେଡ୍‌, ମାଞ୍ଚେଷ୍ଟର ସିଟି, ଇଣ୍ଟର ମିଲନ ଓ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ମେସିଙ୍କୁ ଦଳରେ ସାମିଲ କରିବା ପାଇଁ ଅନେଇ ବସିଛନ୍ତି।

Share