Categories: ଖେଳ

ଏକା ଏରିନା ବୁଲି ଦେଖିଲେ ଫିଫା ପ୍ରତିନିଧି ଦଳ

ଅହମ୍ମଦାବାଦ,୦୧।୧୧(ପି.ଟି.)- ସ୍ଥାନୀୟ ଏକା ଏରିନା ଗ୍ରାଉଣ୍ଡ ପରିଦର୍ଶନ କରିଛନ୍ତି ଫିଫା ପ୍ରତିନିଧି ଦଳ। ମହିଳା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ପାଇଁ ପ୍ରସ୍ତାବିତ ଏହି ଗ୍ରାଉଣ୍ଡର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ପୂର୍ବରୁ ଏହି ଗ୍ରାଉଣ୍ଡ ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଅନୁମୋଦନ ପାଇଥିଲା। ଏହି ଭେନ୍ୟୁ ଏକ ସୁନ୍ଦର ଷ୍ଟାଡିୟମ ବୋଲି ଫିଫାର ପ୍ରୋଜେକ୍ଟ ଲିଡ୍‌ ଅଫ ଦି ଟୁର୍ନାମେଣ୍ଟ ଓଲିଭର ଭୋଗଟ କହିଛନ୍ତି। ଅହମ୍ମଦାବାଦରେ ପହଞ୍ଚି ଆମେ ଭାରି ଖୁସି ଅଛୁ। ଗ୍ରାଉଣ୍ଡ ମୋଟାମୋଟି ଉପରେ ଠିକ୍‌ ଅଛି। ତେବେ କେତୋଟି ସଂଶୋଧନ ଓ ଆହୁରି କିଛି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏଠାରେ ମ୍ୟାଚ୍‌ ହେଲେ ଟୁର୍ନାମେଣ୍ଟ ବେଶ୍‌ ସଫଳ ହୋଇପାରିବ ବୋଲି ସେ କହିଛନ୍ତି। ଏଠାରେ ଫିଫା ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ଥିବାରୁ ସବୁକିଛି ଉତ୍ତମ ହେବା ଆବଶ୍ୟକ ବୋଲି ଲୋକା ଅର୍ଗାନାଇଜିଂ କମିଟିର ଟୁର୍ନାମେଣ୍ଟ ଡାଇରେକ୍ଟର ରୋମା ଖାନ୍ନା କହିଛନ୍ତି। କେତେକ ଦୃଷ୍ଟିକୋଣରୁ ଆହୁରି ଉନ୍ନତି ହେବାର ଆବଶ୍ୟକତା ରହିଛି। ତେବେ ଷ୍ଟାଡିୟମର ମୌଳକ ସୁବିଧା ସୁଯୋଗ ଓ ଭିତ୍ତିଭୁମି ବେଶ୍‌ ଭଲ ବୋଲି ସେ ମତ ଦେଇଛନ୍ତି। ଚତୁର୍ଥ ଭେନ୍ୟୁ ଭାବେ ଫିଫା ପ୍ରତିନିଧି ଦଳ ଅହମ୍ମଦାବାଦ ପରିଦର୍ଶନ କରିଛନ୍ତି। ଏହାପୂର୍ବରୁ ଏହି ଦଳ କୋଲକାତା, ଗୁଆହାଟୀ ଓ ଭୁବନେଶ୍ୱର ପରିଦର୍ଶନ କରିସାରିଛି। ରବିବାର ଏହି ଦଳ ଅନ୍ତିମ ଭେନ୍ୟୁ ଭାବେ ନଭି ମୁମ୍ବାଇ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Share