Categories: ବାଣିଜ୍ୟ

ଏକା ସମୟରେ କାମ ଆରମ୍ଭ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ସମାନ ସମୟରେ କାମ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସକାଳ ୯ରୁ ୩ଟା, ୧୦ଟାରୁ ୪ ଟା ଅଥବା ୧୧ଟାରୁ ୫ ଟା ୬ ଘଣ୍ଟିଆ ବ୍ୟାଙ୍କିଙ୍ଗ କାରବାର ପାଇଁ ଏକ ବ୍ୟାଙ୍କର କମିଟି ପକ୍ଷରୁ ସୁପାରିସ୍‌ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ତିନୋଟି ସମୟସୀମା ମଧ୍ୟରୁ ଯେକୌଣସି ଗୋଟିଏକୁ ସାରା ଦେଶରେ ଅନୁସରଣ କରିବା ଲାଗି କମିଟି ତା’ର ସୁପାରିସ୍‌ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ୍‌ସ ଆସୋସିଏଶନ ସିଇଓ ଭି.ଜି.କାନନ କହିଛନ୍ତି ଯେ, ତିନୋଟି ସମୟସୀମା ପ୍ରସ୍ତାବ ଦିଆଯାଇଛି। ତେବେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ଯେକୌଣସି ଗୋଟିଏ ସମୟସୀମାକୁ ଆପଣାଇବାକୁ ହେବ। ଗୋଟିଏ ଅଞ୍ଚଳରେ ଗୋଟିଏ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅନ୍ୟ ଏକ ବ୍ୟାଙ୍କ ଶାଖା ସକାଳ ୧୦ଟାରେ ଯେପରି ନ ଖୋଲିବ, ତାହାକୁ ରୋକିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆବାସିକ ଅଞ୍ଚଳରେ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅଥବା ସନ୍ଧ୍ୟାରେ ଖୋଲା ରଖିହେବ। ତେବେ ଏହା ସମାନ ସମୟସୀମା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ସେ କହିଛନ୍ତି ଯେ, ଅଧିକାଂଶ ବାଣିଜି୍ୟକ ବ୍ୟାଙ୍କ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଖୋଲିଯାଉଛି। ସେ କହିଛନ୍ତି ଯେ, ସମାନ ସମୟ ଲାଗୁ କରିବା ନେଇ ବ୍ୟାଙ୍କଗୁଡ଼ିକ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଆଲୋଚନା କରିବାକୁ ହେବ। ଏନେଇ ସେମାନଙ୍କ ଉପରେ ନିଷ୍ପତ୍ତି ଲଦି ଦିଆଯିବ ନାହିଁ। ସୂଚନାଥାଉ କି, ଚଳିତବର୍ଷ ଜୁନ୍‌ରେ ଅର୍ଥ ମନ୍ତ୍ରଣାଳୟ ସହ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ)ର ବୈଠକ ବେଳେ ଏଭଳି ଏକ ଯୋଜନା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କରେ ସୁପାରିସ୍‌ କରିବାକୁ ଆଇବିଏ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଜୁନ ୨୪ରେ ଏକ ସବ୍‌ କମିଟି ଗଠନ କରାଯାଇଥିଲା। ଅଗଷ୍ଟ ପହିଲାରେ ବସିଥିବା ବୈଠକରେ ସବ୍‌ କମିଟି ନିଜ ଆଡୁ ନିଷ୍ପତ୍ତି ନ ନେଇ ଶୀର୍ଷ ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ ଏହି ଦାୟିତ୍ୱ ଅର୍ପଣ କରିଥିଲେ। ଜିଲାସ୍ତରରେ ବ୍ୟାଙ୍କ କମିଟି ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବାକୁ ସେମାନଙ୍କୁ କୁହାଯାଇଥିଲା। ସେମାନେ ନିଷ୍ପତ୍ତି ନେବା ପରେ ଏହାକୁ ସାରା ଦେଶରେ ଲାଗୁ କରାଯିବ। ଫଳରେ ସାରା ଦେଶରେ ଗୋଟିଏ ସମୟରେ ବ୍ୟାଙ୍କ ଖୋଲିବ।

Share